Odia News Portal

ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ୩୮ ଜଣ ମତ୍ସ୍ୟଜୀବୀ

ବ୍ରହ୍ମପୁର : ଅଶାନ୍ତ ସମୁଦ୍ରରେ ଦୀର୍ଘ ୫ ଦିନ । ଚେନ୍ନାଇରୁ ବୋଟରେ ବ୍ରହ୍ମପୁରର ଗୋପାଳକୁ ଦୁଃସାସିକ ଜଳଯାତ୍ରା । ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ୩୮ ଜଣ ମତ୍ସ୍ୟଜୀବୀ । ଶହ ଶହ କିଲୋମିଟର ଏହି ବୋଟରେ ଚାଲି ଆସିଲେ । ଯଦିଓ ସମୁଦ୍ର ସେମାନଙ୍କର ସବୁଦିନିଆ ସାଥୀ ତଥାପି ମନରେ ଭୟ ଥିଲା । ଖରାପ ପାଗ ସାଙ୍ଗକୁ ଏତେ ଲମ୍ବା ଯାତ୍ରା । ତେବେ ବର୍ତ୍ତମାନ ସମୟରେ କେବଳ ମନରେ ଥିଲା ଘର ବାହୁଡ଼ାର କଥା । ମନେ ପଡୁଥିଲା ପରିବାର ଲୋକଙ୍କ କଥା । ତେଣୁ ନିଜ ଜୀବନକୁ ପାଣି ଛଡ଼ାଇ ଚାଲି ଆସିଲେ ଏଭଳି ବିପଜ୍ଜନକ ଭାବେ ।
ଏହି ମତ୍ସ୍ୟଜୀବୀମାନେ ଚେନ୍ନାଇରେ ରହି କାମ କରୁଥିଲେ । କରୋନା ଯୋଗୁଁ ସାରା ଦେଶ ଲକଡାଉନ୍ । ହାତରେ କାମ ନାହିଁ କି ରୋଜଗାର ନାହିଁ । କେବେ ଲକଡାଉନ୍ ସରିବ ସେକଥାକୁ ବି ଜଣାନାହିଁ । ତେଣୁ ଆଗକୁ ଫଳ କଣ ହେବ ସେକଥା ଭୁଲି ଗଲେ । ଏପଟେ ଭିଟାମାଟିର ମୋହ ଟାଣୁଥିଲା । ତେଣୁ ଏଭଳି ବିପଜ୍ଜନକ ଦୁଃସାହସ ଦେଖାଇବାକୁ ବାଧ୍ୟ ହେଲେ । ପ୍ରଥମେ ସମସ୍ତେ ମିଶି କଥା ହେଲେ । ଆଉ ତା ପରେ ପୂରା ବୋଟଟିଏ କିଣି ପକାଇଲେ । ଚାଲିଲା ଚେନ୍ନାଇରୁ ଜଳଯାତ୍ରା । ଏହି ବୋଟରେ କିଛି ଗଞ୍ଜାମ ଜିଲ୍ଲାର ଓ ଆଉ କିଛି ଆନ୍ଧ୍ର ପ୍ରବେଶର ମତ୍ସ୍ୟଜୀବୀ ଅଛନ୍ତି । ଗୋପାଳପୁର, ପଟିସୁନାପୁର ଭଳି ଗାଁର ମତ୍ସ୍ୟଜୀବୀମାନେ ଆସିଛନ୍ତି ଏହି ବୋଟରେ ।

ଫୋନ୍ ଯୋଗେ ଖବର ପାଇଥିଲେ ପରିବାର ଲୋକେ ଯେ ସେମାନେ ଆସୁଛନ୍ତି ବୋଲି। କାଲିଠାରୁ ଘର ଲୋକଙ୍କ ମନରେ ଥିଲା ଉତ୍କଣ୍ଠା । ପ୍ରଶାସନ ବି ଖବର ପାଇଥିଲା ତେଣୁ ଗୋପାଳପୁର ବେଳାଭୂମିରେ ରୁଣ୍ଡ ହୋଇଥିଲେ ପରିବାର ଲୋକେ । ପୁଣି ଜଗି ରହିଥିଲେ ଗୋପାଳପୁର ମେରାଇନ୍ ଥାନାର ପୋଲିସ୍ । ଯେଉଁବାଟେ ଫେରିଲେବି ଏହି କରୋନା ସମୟରେ ସେମାନଙ୍କୁ କ୍ବାରେଣ୍ଟାଇନ୍ରେ ରହିବାକୁ ପଡ଼ିବ । ହେଲେ ଅନ୍ତତଃ ନିଜ ଜନ୍ମ ମାଟିରେ, ନିଜ ପରିବାର ଲୋକଙ୍କ ପାଖରେ। ତେଣୁ ଲକଡାଉନ୍ ନିୟମ ଭାଙ୍ଗି, ଭୁଲ କରି ମଧ୍ୟ ଖୁସି ଏମାନେ । କାରଣ ସେମାନେ ଆସି ପହଞ୍ଚି ଯାଇଛନ୍ତି ନିଜ ଗାଁ ଭୂଇଁରେ ।