Odia News Portal

ଲକ୍ଷଣ ଥିଲେ ନିଜ ରାଜ୍ୟକୁ ଫେରି ପାରିବେନି ପ୍ରବାସୀ

ନୂଆଦିଲ୍ଲୀ : ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲା କେନ୍ଦ୍ର ଗୃହ ବିଭାଗ। କରୋନା ଲକ୍ଷଣ ଥିଲେ ଆସିବା ମନା। ଲକ୍‌ଡାଉନ୍‌ ଯୋଗୁଁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ, କର୍ମଜୀବୀ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ନିଜ ରାଜ୍ୟକୁ ଫେରି ପାରିନାହାନ୍ତି। ସେମାନେ କିପରି ଫେରିବେ ସେ ନେଇ ଗାଇଡ୍‌ ଲାଇନ୍‌ରେ ସବିଶେଷ ତଥ୍ୟ ରହିଛି। ସବୁ ରାଜ୍ୟ ଏ ନେଇ ନୋଡାଲ ଅଫିସର ନିଯୁକ୍ତ କରିବେ। ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ କରିବେ। ଯଦି ଏକ ସଂଙ୍ଗରେ ଅନେକ ବ୍ୟକ୍ତି ଫେରିବାକୁ ଚାହୁଁଛନ୍ତି ତେବେ ରାଜ୍ୟ ରାଜ୍ୟ ମଧ୍ୟରେ ଏ ପ୍ରସଙ୍ଗରେ କଥା ହେବେ। ଫେରିବାକୁ ଚାହୁଁଥିବା ସବୁ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଯେଉଁମାନଙ୍କର କରୋନା ଲକ୍ଷଣ ନ ଥିବା ସେମାନଙ୍କୁ ହିଁ ଯିବାକୁ ଅନୁମତି ଦିଆଯିବ।

ଅର୍ଥାତ ସେମାନେ ନିଜ ରାଜ୍ୟକୁ ଫେରି ପାରିବେ। କରୋନା ଲକ୍ଷଣ ଦେଖା ଦେଲେ ଯିବାକୁ ମିଳିବନି ଅନୁମତି। ଯେଉଁମାନେ ଫେରିବେ ସେମାନଙ୍କୁ ବସ୍‌ରେ ଅଣାଯିବ। ଯାତ୍ରା ପୂର୍ବରୁ ବସ୍‌ର ବିଶୋଧନ କରାଯିବ। ସାମାଜିକ ଦୂରତା ରକ୍ଷା କରି ବସ୍‌ରେ ଯାତ୍ରା କରିବେ। ଯେଉଁ ଯେଉଁ ରାଜ୍ୟ ଦେଇ ବସ୍‌ ଆସିବ ସେ ରାଜ୍ୟଗୁଡିକ ବସକୁ ଯିବା ପାଇଁ ଅନୁମତି ଦେବେ। ନିଜ ରାଜ୍ୟରେ ପହଞ୍ଚିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଆବଶ୍ୟକ ପଡିଲେ ଆନୁଷ୍ଠାନିକ ଭାବେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯିବ। ଏହାସହ ଫେରୁଥିବା ପ୍ରବାସୀଙ୍କୁ ଆରୋଗ୍ୟ ସେତୁ ଡାଉନ୍‌ ଲୋଡ୍‌ କରିବାକୁ ପଡିବ। ଯାହା ଫଳରେ ସେମାନଙ୍କ ଚଳାଚଳ ଉପରେ ନଜର ରଖାଯାଇ ପାରିବ।