Odia News Portal

ଆକାଶରେ ମେଘ ପବନ ଦେଖିଲେ ବିଜୁଳି ମାରୁଛି ଛୁ

ଭୁବନେଶ୍ୱର : ଆକାଶରେ ମେଘ ଦେଖିଲେ ଲାଇନ୍‍ ଛୁ ମାରୁଛି । ଏହା ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳରେ ଘଟୁନାହିଁ, ଖୋଦ୍‍ ରାଜଧାନୀରେ ଏଭଳି ଅବସ୍ଥା । ଫନି ମାଡରେ ଘାଇଲା ବିଜୁଳି ବ୍ୟବସ୍ଥାର ତରବରିଆ ରକ୍ଷଣା ବେକ୍ଷଣ ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି । ଦିନ କେଇଟା ପରେ ମଇ ୩ତାରିଖରେ ଫନି ବାତ୍ୟାକୁ ବଷେ ର୍ ପୂରିବା ଫନିରେ ସର୍ବାଧିକ କ୍ଷତିଗ୍ରସ୍ତ ରାଜଧାନୀରେ ସେତେବେଳେ ବିଜୁଳି ବ୍ୟବସ୍ଥା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା । ସଜାଡିବାକୁ କର୍ମଚାରୀ ମିଳିଲେ ନାହିଁ । ସରକାର ବାଧ୍ୟହୋଇ ପଶ୍ଚିମବଙ୍ଗ ଓ ଆନ୍ଧ୍ରରୁ କର୍ମଚାରୀ ଆଣି ମରାମତି କଲେ । ରାଜଧାନୀରୁ ପୁରୀ ପର୍ଯ୍ୟନ୍ତ କାମ ସରିଲା ବେଳକୁ ମାସାଧିକ କାଳ ଲାଗିଗଲା । ହେଲେ ସେତେବେଳେ ସମସ୍ତେ ଗରମରେ ସିଝୁ ଥିବାରୁ ଲାଇନ୍‍ ପାଇଁ ବ୍ୟାକୁଳ ଥିଲେ । ଲୋକଙ୍କ ଚାପ ଯୋଗୁଁ କାମର ମାନ କେହି ଦେଖିଲେନି । ରାତାରାତି ତାର ଟାଣି ଲାଇନ୍‍ ଦେଇଦେଲେ । ଫନି ଯିବାର ପ୍ରାୟ ବର୍ଷକ ଭିତରେ ବଡ ଧରଣର ପବନ କିମ୍ବା ବର୍ଷା ହୋଇନଥିଲା ।

ହେଲେ ଗତ ପ୍ରାୟ ସପ୍ତାହେ ହେଲା ପବଳ ପବନ ସାଙ୍ଗକୁ, ବର୍ଷା, କୁଆପଥର ମାଡ ସମଗ୍ର ରାଜ୍ୟରେ ଜାରିରହିଛି । ରାଜଧାନୀରେ ପ୍ରାୟ ପ୍ରତିଦିନ ବର୍ଷା ପବନ ଆସୁଛି । ତେବେ ଆକାଶରେ ମେଘ ଓ ପବନ ଦେଖିଲେ ବିଜୁଳି ରହୁନାହିଁ । କର୍ତ୍ତୃପକ୍ଷ ଜାଣିଶୁଣି କାଟି ଦେଉଛନ୍ତି । ଏପରିକି କେତେକ ସମୟରେ ଗ୍ରିଡ୍‍ରୁ ଲାଇନ୍‍ କଟି ରାଜଧାନୀର ଅର୍ଧାଧିକ ଅଞ୍ଚଳ ଅନ୍ଧାର ହୋଇଯାଉଛି । ଲାଇନ୍‍ ଆସିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ସାମାନ୍ୟ ବର୍ଷା ପବନରେ ଲାଇନ୍‍ କଟିବା ନେଇ କାହା ପାଖରେ କିଛି ଉତ୍ତର ନାହିଁ । ତେବେ ଭିତିରି ଖବର ହେଲା ଫନି ବେଳେ ଯେଭଳି ତରବରିଆ ଭାବେ ନିମ୍ନ ମାନର କାମ ହେଲା ଏହାର ତାହାରି ଫଳ । କେଉଁଠି ତାର ଛିଡୁଛି ତ ଆଉ କେଉଁଠି ଫ୍ୟୁଜ ଉଡିଯାଉଛି । ତେଣୁ କାଳେ କିଛି ଅଘଟଣ ଘଟିବ କର୍ତ୍ତୃପକ୍ଷ ଆକାଶରେ ବର୍ଷା ଦେଖିଲେ ଲାଇନ୍‍ କାଟି ଦେବାକୁ ଶ୍ରେୟଷ୍କର ମଣୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଫନି ପରେ ପରେ ରାଜଧାନୀ ସମେତ ଖୋରଧା, ପିପିଲି, ପୁରୀ ଆଦି ଅଞ୍ଚଳରେ ବିଦ୍ୟୁତ୍‍ ବିଭାଗର ନିମ୍ନମାନର କାମ କରିଥିବା ନେଇ ଖୋଦ୍‍ ପିପିଲି ଓ ଜଟଣୀ ବିଧାୟକ ବିଧାନସଭାରେ ତୁମ୍ବିତୋଫାନ କରିଥିଲେ । ସେତେବେଳ ଶକ୍ତି ବିଭାଗ ଏହାକୁ ସଜାଡିନେବ ବୋଲି କହିଥିଲା ।

ହେଲେ ଏବେ ଖୋଦ୍‍ ରାଜଧାନୀରେ ସାମାନ୍ୟ ପବନ ହଲିଲେ ଲାଇନ୍‍ କଟି ଯାଉଛି । ରାଜଧାନୀରେ ଯଦିଓ ବର୍ଷା ପବନ ଥମିଲେ ବିଜୁଳି ଆକାଶରେ…ବିଭାଗ ଲାଇନ୍‍ ଦେଇଦେଉଛି, ହେଲେ ଗାଁ ଗହଳରେ ଦିନ ଦିନ ଧରି ଲାଇନ୍‍ର ଦେଖାଦର୍ଶନ ମିଳୁନାହିଁ । ବର୍ଷା ପବନକୁ ଦାୟୀ କରି ସମସ୍ତେ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି । ବିଶେଷକରି ଫନି ପ୍ରଭାବିତ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ହୋଇଛି । ତେଣୁ ରାଜଧାନୀରେ କାହିିଁକି ସାମାନ୍ୟ ବର୍ଷା ଓ ପବନରେ ଲାଇନ୍‍ କଟୁଛି ଓ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ଯୋଗାଣରେ କିଏ ବାଧକ ହୋଇଛି ତାହାର ତଦନ୍ତ ପାଇଁ ସାଧାରଣରେ ଲୋକେ ମତ ଦେଲେଣି । ଯଦି ତୁରନ୍ତ ତ୍ରୁଟି ସୁଧୁରା ନଯାଏ ତେବେ ଆଗାମୀ ବର୍ଷା ଋତୁରେ ସ୍ଥିତି ଅଧିକ ଜଟିଳ ହୋଇଯିବ ।