Odia News Portal

ବରେଲିର ବହୁ ଚର୍ଚ୍ଚିତ ଦମ୍ପତି ପୁଣି ଥରେ ଚର୍ଚ୍ଚାରେ

ବରେଲି : ବରେଲିର ବହୁ ଚର୍ଚ୍ଚିତ ଦମ୍ପତି ପୁଣି ଥରେ ଚର୍ଚ୍ଚାରେ । ବିବାଦ ଓ କୋଳାହଳ ଭିତରେ  ବିଜେପି ବିଧାୟକ ରାଜେଶ  ମିଶ୍ରାଙ୍କର ଝିଅଙ୍କୁ  ଲଭ୍ ମ୍ୟାରେଜ୍‌ କରିଥିବା ଅଜିତେଶ ପୁଣି ମୁସ୍କିଲ୍‌ରେ ଫସିଯାଇଛନ୍ତି । ଜଣେ ବ୍ୟକ୍ତିଙ୍କୁ ବାଡ଼େଇବା  ଅଭିଯୋଗରେ  କେସ୍‌ ରୁଜୁ ହୋଇଛି । ଅଜିତେଶଙ୍କୁ ପୁଲିସ୍‌ ଗିରଫ କରି  ଜେଲ୍‌ ପଠାଇଦେଇଛି ।

ସୂଚନା ଯେ, ଅଜିତେଶ ଓ ସାକ୍ଷୀ ଗତ ବର୍ଷ ଜୁଲାଇରେ ଖବରର ହେଡ୍‌ଲାଇନ୍‌ରେ ଥିଲେ । ଅଜିତେଶ ୟୁପି ବିଧାୟକ ରାଜେଶ ମିଶ୍ରାଙ୍କର ଝିଅ ସାକ୍ଷୀଙ୍କୁ ବିବାହ କରିଥିଲେ । ସାକ୍ଷୀ ଘରୁ ଫେରାର୍‌ ହୋଇଯାଇଥିଲେ।ପରେ ଏହାକୁ ନେଇ ଖୁବ୍‌ ହଙ୍ଗାମା ଆରମ୍ଭ ହୋଇଥିଲା । ସାକ୍ଷୀ କହିଥିଲେ , ତାଙ୍କର ଜୀବନ ବାପାଙ୍କ ପାଇଁ ବିପଦରେ ।

ଏବ ପୁଣି ଥରେ ଏହି ଦମ୍ପତି ଚର୍ଚ୍ଚାରେ । ବରେଲି ଜିଲ୍ଲାର ପ୍ରେମ ନଗର ଅଞ୍ଚଳରେ ସାମାନ୍ୟ ସଡ଼କ ଦୁର୍ଘଟଣା ପରେ ଜଣେ ଯୁବକଙ୍କୁ ପିଟିବା ଓ ତାଙ୍କର ମୋବାଇଲ୍‌ ନେଇଯିବା ଅଭିଯୋଗରେ  ଶନିବାର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଜ୍ୱାଇଁ  ଅଜିତେଶ ଓ ତାଙ୍କର ବନ୍ଧୁଙ୍କୁ ଗିରଫ କରିନେଇଛି ପୁଲିସ୍‌ ।

ପୁଲିସ୍‌ ମୁତାବିକ୍‌ ଜଣେ ଯୁବକ ନିଜ ବନ୍ଧୁଙ୍କ ପିତାଙ୍କ ପାଇଁ ଔଷଧ କିଣି ଘରକୁ ଫେରୁଥିଲେ । ସେତେବେଳେ  ତାଙ୍କର ବାଇକ୍‌ ଅଜିତେଶଙ୍କର SUV କାର୍‌କୁ ସାମାନ୍ୟ ଧକ୍କା ଦେଇଥିଲା । ଏହାପରେ ଅଜିତେଶ ଓ ତାଙ୍କ ବନ୍ଧୁ ଏହି ଯୁବକଙ୍କୁ ମାଡ଼ପିଟି କରିଥିଲେ ଏବଂ ଏହାର ମୋବାଇଲ୍‌ ଫୋନ୍‌ ଛଡ଼େଇ ନେଇଥିଲେ । ପୁଲିସ୍‌ କହିଛି ଅଜିତେଶ ଓ ତାଙ୍କର ବନ୍ଧୁ ବୈଭବ ଗଙ୍ଗୱାରଙ୍କ ବିରୁଦ୍ଧରେ  ଆଇପିସି ଧାରା ୩୯୪ ଓ ଅନ୍ୟ ସମ୍ୱନ୍ଧୀତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଥିଲା । ଦୁଇଜଣଙ୍କୁ  ଜେଲ୍‌ ପଠାଇ ଦିଆଯାଇଛି  ।

ଏସଏଚ୍‌ଓ କହିଛି , ଆମେ ସିସିଟିଭି ଫୁଟେଜ୍‌ର ଯାଞ୍ଚ କରିଛୁ ଓ ସାକ୍ଷୀମାନଙ୍କ ସହ କଥା ହୋଇଛୁ କି ଏହା ଜଣାପଡ଼ିବ ଅଜିତେଶ ଓ ତାଙ୍କର ବନ୍ଧୁ ଯୁବକଙ୍କୁ ପିଟିଥିଲେ । ସମ୍ୱନ୍ଧିତ ଧାରାଗୁଡ଼ିକ ଅନୁସାରେ ମାମଲା ରୁଜୁ ହୋଇଥିଲା ଏବଂ ଶନିବାର ମାଜିଷ୍ଟ୍ରେଟ୍‌ଙ୍କ ସାମନାରେ ଉପସ୍ଥିତ କରିବା ପରେ ଉଭୟଙ୍କୁ ଜେଲ୍‌ ପଠାଇ  ଦିଆଯାଇଛି । ସେପଟେ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ସାକ୍ଷୀ ଅଜିତେଶଙ୍କୁ  ବିବାହ କରିବା ପରେ ବିଜେପି ବିଧାୟକ ନିଜର ଝିଅ ସାକ୍ଷୀ ସହ ସବୁ ସଂପର୍କ କାଟି ଦେଇଥିଲେ ।