Odia News Portal

ବର୍ଷକ ପରେ ପଦୋନ୍ନତି ପ୍ରକ୍ରିୟାକୁ ଭୁଲିଗଲେଣି କର୍ତ୍ତୃପକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପଦୋନ୍ନତି ଠିକ୍‍ ସମୟରେ ଦୋପାଇଁ ମୋ ସରକାରର କଲ୍ୟାଣକାରୀ ପଦକ୍ଷେପ ଆକାରରେ ୨୦୧୯ ବର୍ଷରେ ସମସ୍ତ ସରକାରୀ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୧୯ ବର୍ଷର ପଦୋନ୍ନତି ଯେପରି
କର୍ମଚାରୀମାନେ ବର୍ଷ ଶେଷ ସୁଦ୍ଧା ପାଇବେ ସେଥିପ୍ରତି ଧ୍ୟାନ
ଦେବାକୁ ମଧ୍ୟ କୁହାଯାଇଥିଲା । ତାର ତଦାରଖ କରିବାପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଗଲା । ଅନେକ ପୁରୁଣା ମାମଲା ଫଏସଲା ହେଲା । ଅନେକ କର୍ମଚାରୀଙ୍କ ଗୁହାରି ଗୁଣାଗଲା ଓ ସେମାନେ ନ୍ୟାୟ ପାଇଲେ । ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଗଲା । କର୍ମଚାରୀମାନେ ଆଶା କଲେ ଆଗକୁ ପଦୋନ୍ନତି କ୍ଷେତ୍ରରେ ଆଉ ବିଳମ୍ବ ହେବନାହିଁ । କୌଣସି କର୍ମଚାରୀ ତାର ପ୍ରାପ୍ୟ ପଦୋନ୍ନତିରୁ ବଞ୍ôଚତ ହେବନାହିଁ । କିନ୍ତୁ ଗୋଟିଏ ବର୍ଷପରେ ଚଳିତବର୍ଷ ସେହି ପୁରୁଣା ଚିତ୍ର ଦେଖିବାକୁ ମିଳୁଛି ।

ମୋ ସରକାର ନିର୍ଦ୍ଦେଶକୁ କିଛି କର୍ତ୍ତୃପକ୍ଷଙ୍କ ବେଖାତିର ଦେଖିବାକୁ ମିଳୁଛି । ନିୟମ ମୁତାବକ ପୁରା ବର୍ଷ ଭିତରେ ଖାଲି ହେବାକୁ ଥିବା ବିଭିନ୍ନ ବର୍ଗର ପଦବୀ ବର୍ଷ ଆରମ୍ଭରୁ ହିସାବ କରାଯିବା କଥା । ପଦବୀ ପୂରଣ ପାଇଁ ଜାନୁୟାରୀ ମାସରେ ବିଭାଗୀୟ ପଦୋନ୍ନତି କମିଟିର ବୈଠକ ବସି ଯୋଗ୍ୟ କର୍ମଚାରୀଙ୍କୁ ଚୟନ କରି ଏକ ତାଲିକା ପ୍ରସ୍ତୁତ କରାଯିବାର ବିଧି ରହିଛି । ପର୍ଯ୍ୟାୟ କ୍ରମେ ଉକ୍ତ ତାଲିକାରୁ କର୍ମଚାରୀମାନେ ପଦୋନ୍ନତି ପାଇବା କଥା । କିନ୍ତୁ ବିଭିନ୍ନ ଆଳ ଦେଖାଇ ଚୟନ ପ୍ରକ୍ରିୟା ଠିକ୍‍ ସମୟରେ ଆରମ୍ଭ କରାଯାଉନାହିଁ । ଜାନୁୟାରୀ ମାସରେ ଚୟନ କରିବା ସ୍ଥାନରେ ବର୍ଷର ସାତମାସବିତିଗଲେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉ ନାହିଁ । ଏଭଳି ଏକ ଅଭିଯୋଗ ସଚିବାଳୟ ସେବା ବର୍ଗର କେତେକ କର୍ମଚାରୀ ଆଣିଛନ୍ତି । ସୂଚନା ଅନୁଯାୟୀ ସଚିବାଳୟ ସେବାର ମୋଟ ୬ଟି ଗ୍ରେଡ ମଧ୍ୟରୁ ମାତ୍ର ୩ଟି ଗ୍ରେଡ୍‍ ପାଇଁ ଇତି ମଧ୍ୟରେ ଚୟନ କମିଟିର ବୈଠକ ବସିଛି । ତାହା ପୁଣି ବର୍ଷର ୬ମାସ ବିତିଗଲା ପରେ ।

ଏ କମିଟି ବସିବା ବେଳକୁ ବିନା ପଦୋନ୍ନତିରେ ୨୫ଜଣ କର୍ମଚାରୀ ଅବସର ନେଇ ସାରିଛନ୍ତି । ଅବଶିଷ୍ଟ ଗ୍ରେଡ୍‍ ପାଇଁ ପ୍ରକ୍ରିୟା ଅଦ୍ୟାବଧି ଆରମ୍ଭ ହୋଇନାହିଁ । କର୍ମଚାରୀମାନେ ବାରମ୍ବାର ଗୁହାରି କଲେ ହେଁ କରୋନା ଆଳରେ ତାଙ୍କ କଥା ଶୁଣିବାକୁ କେହି ନାହିଁ । ଖାଲି ପଡିଥିବା ଶହ ଶହ ଉପବିଭାଗ ଅଧିକାରୀ ପଦବୀ ପୂରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ସେହିଭଳି ଅନ୍ୟ କେତେକ କ୍ୟାଡର ଯଥା ଡାକ୍ତରୀ ସେବା, ଇଞ୍ଜିନିୟରିଂ ସେବା, ବାଣିଜ୍ୟକର କର୍ମଚାରୀ ସେବା ପ୍ରଭୃତିରେ ମଧ୍ୟ ପଦୋନ୍ନତିକୁ ନେଇ ଅଚଳାବସ୍ଥା ଦେଖାଦେଇଛି । ଏ ଅଚଳ ଅବସ୍ଥା ଦୂର ପାଇଁ ତଥା ଅଧବକ କାଳ ବିଳମ୍ବ ନକରି ଚଳିତ ବର୍ଷ ପଦୋନ୍ନତି ଶୀଘ୍ର ଦେବାକୁ କର୍ମଚାରୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଲୋକସେବାଭବନର କେତେକ କର୍ମଚାରୀଙ୍କ କହିବା ଅନୁଯାୟୀ ପ୍ରଚଳତି ଆଇନ୍‍ ଆଧାରରେ ବର୍ଷ ଆରମ୍ଭ ପୂର୍ବରୁ ପଦୋନ୍ନତି ପାଇଁ ଆବଶ୍ୟକ କାର୍ଯ୍ୟ ଶେଷ କରି ଜାନୁୟାରୀମାସରେ ଚୟନ କରି ଯୋଗ୍ୟ କର୍ମଚାରୀ ପେଦାନ୍ନତି ଦେବା ପରମ୍ପରା ସୃଷ୍ଟି କଲେ କର୍ମଚାରୀ ନ୍ୟାୟ ପାଇବେ ଏବଂ କେହି ପ୍ରାପ୍ୟ ପଦୋନ୍ନତିରୁ ବଞ୍ଚିତ ହେବେ ନାହିଁ ।