Odia News Portal

ଭୁବନେଶ୍ୱର ଭାଙ୍ଗିଲା ମାର୍ଚ୍ଚ ତାତି

୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆକାଶରୁ ବର୍ଷୁଛି ଅଗ୍ନି ବର୍ଷା । ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତ ଚାରି ଦିନରେ ରାଜ୍ୟର ଗୋଟିଏ ପରେ ସହର ତାତିରେ ରେକର୍ଡ ଭାଙ୍ଗୁଛନ୍ତି ।  ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୮ଟି ସହର ରହିଛି। ସୋମବାର ଟିଟିଲାଗଡ ଉତ୍ତପ୍ତ ସହର ଥିବା ବେଳେ ମଙ୍ଗଳବାରରେ ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଥିଲା ମିଳିଛି। ବୁଧବାରରେ ଭୁବନେଶ୍ୱର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ବୋଲି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଆଜି ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ୧୯୪୮ ମସିହା ପରଠୁ ମାର୍ଚ୍ଚ ଶେଷ ଆଡକୁ ଭୁବନେଶ୍ଵରରେ କେବେ ମଧ୍ୟ ଏମିତି ଗରମ ଅନୁଭୂତ ହୋଇ ନଥିଲା। ୨୦୧୬ରେ ଭୁବନେଶ୍ଵରରେ ଠିକ୍ ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ତେବେ ମାର୍ଚ୍ଚ ମାସର ତାପମାତ୍ରାରେ ଭୁବନେଶ୍ଵର ସର୍ବକାଳୀନ ରେକର୍ଡ ଭାଙ୍ଗିଛି।

ଗତକାଲି ୪୪.୬ ଡିଗ୍ରୀ ସେଲସିୟସ ସହ ବାରିପଦା ବିଶ୍ବର ଏକ ନମ୍ବର ଉତ୍ତପ୍ତ ସହର ପାଲଟିଥିଲା । ଶିମିଳିପାଳରେ ନିଆଁ ଲାଗିବା ଫଳରେ ଏହାର ସିଧା ପ୍ରଭାବ ବାରିପଦା ସମେତ ପୂରା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳୁଛି । ୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଥିବା ସହର ଗୁଡିକ ହେଲା ବାରିପଦା ୪୩.୬, ବାଲେଶ୍ୱର ୪୩, କଟକ ୪୨.୬, ତାଳଚେର ୪୨.୫, ବୌଦ୍ଧ ୪୨, ଅନୁଗୁଳ ୪୧.୭, ବଲାଙ୍ଗିର ୪୧.୫, ଭବାନୀପାଟଣା ୪୧.୫, ନୟାଗଡ ଓ ଟିଟଲାଗଡ ୪୧.୨, ସୋନପୁର ଓ ସମ୍ବଲପୁର ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଜି ପୁଣି ହିଟ୍ ୱେଭ୍ ପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆହୁରି ୨ ଦିନ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିବା ନେଇ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଜ୍ଞାନୀଙ୍କ ମତରେ ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ପଛରେ ତିନିରୁ ଚାରିଟି କାରଣ ରହିଛି । ୧ରେ-  ଶୀତ ଦିନେ ବହୁତ କମ ବର୍ଷା ହୋଇଥିବା ବେଳେ ମାଟିରେ ଆର୍ଦ୍ରତା ଜମା ନାହିଁ। ସେଥିପାଇଁ ତାପମାତ୍ରା ବଢ଼ୁଛି । ୨ରେ-  ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁ ସାମୁଦ୍ରିକ ପବନ ସ୍ଥଳଭାଗକୁ ଆସିପାରୁନି । ଫଳରେ ପାରଦ ଉପରମୁହାଁ ହେଉଛି। ୩ରେ ପଶ୍ଚିମା ପବନ ବର୍ତ୍ତମାନ ସ୍ଥଳ ଭାଗ ଦେଇ ଅତିକ୍ରମ କରୁଛି । ସେଥିପାଇଁ ମଧ୍ୟ ତାପାମାତ୍ରା ସ୍ଵାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ।