Odia News Portal

ରାଜଧାନୀରେ ଏବେ ବି ଘୂରିବୁଲେ ରାଣୀଙ୍କ ଅତୃପ୍ତ ଆତ୍ମା

ଦେଶର ରାଜଧାନୀ ଦିଲ୍ଲୀ ଆଲୁଅ ଓ କଂକ୍ରିଟ ଜଙ୍ଗଲରେ ଘେରା ସହର। ସେଠାରେ ଆଧୁନିକତା ଶୀର୍ଷ ଛୁଇଁଛି। ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାର ବଢ଼ିଛି। ଏହାପରେ ମଧ୍ୟ ଦିଲ୍ଲୀରେ ଏବେବି ଅନେକ ଭୌତିକ ସ୍ଥାନ ରହିଛି। ଯାହାକୁ ଖୁବ୍ କମ୍ ଲୋକ ଜାଣନ୍ତି। ଏବେବି ଦିଲ୍ଲୀର କିଛି ସ୍ଥାନରେ ଲୋକେ ସନ୍ଧ୍ୟା ହେଲେ ସହର ଛାଡ଼ନ୍ତି।

ଦିଲ୍ଲୀ କାଣ୍ଟନମେଣ୍ଟରେ ଏଭଳି କିଛି ଭୌତିକ କ୍ରିୟା ଘଟୁଥିବାର ଶୁଣିବାକୁ ମିଳେ । ସେହିପରି ମାଲଚା ମହଲ। ଆଜି ବି ଲୋକମାନଙ୍କ ପାଇଁ ରହସ୍ୟ । ଏହିପରି ଦିଲ୍ଲୀରେ ଆଉ ଗୋଟିଏ ମଧ୍ୟ ଭୌତିକ ସ୍ଥାନ ରହିଛି। ଯାହା ଖୁବ୍ କମ୍ ଲୋକଙ୍କୁ ଜଣା। ଲୋକଙ୍କ ବିଶ୍ୱାସ ଯେ ସେଇ ସ୍ଥାନରେ ଏବେ ବି ରାଣୀଙ୍କ ଅତୃପ୍ତ ଆତ୍ମା ପ୍ରତିଶୋଧ ନେବା ପାଇଁ ଘୂରିବୁଲେ । ତେଣୁ ସନ୍ଧ୍ୟା ହେବା ପୂର୍ବରୁ ସେଇ ସ୍ଥାନ ଛାଡି ଲୋକେ ଚାଲିଆସନ୍ତି ।

ଦିଲ୍ଲୀର କରୋଲ ବାଗରେ ସବୁବେଳେ ଲୋକଙ୍କ ଭିଡ଼ ରହିଥାଏ । ସେଥିପାଇଁ ଏହା ଦିଲ୍ଲୀର ସବୁଠୁ ବ୍ୟସ୍ତ ବଜାର । କିନ୍ତୁ ଏହିଠାରେ ଏମିତି କିଛି ରହସ୍ୟ ଲୁଚି ରହିଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । କରୋଲ ବାଗରେ ବଗା ଲିଙ୍କରୁ ଏକ ନିର୍ଜନ ରାସ୍ତା ଜଙ୍ଗଲ ପର୍ଯ୍ୟନ୍ତ ଯାଇଛି । ଜଙ୍ଗଲ ଆଗରେ ଏକ ବୋର୍ଡ ଦେଖିବାକୁ ମିଳେ । ବୋର୍ଡରେ ଲେଖାଥାଏ ସୂର୍ଯ୍ୟାସ୍ତ ପରେ ଏହି ଜଙ୍ଗଲ ଭିତରକୁ ପ୍ରବେଶ ନିଷେଧ । ଏମିତିକି ଏହି ସ୍ଥାନରେ କୌଣସି ଗାର୍ଡ ମଧ୍ୟ ନଥାନ୍ତି । କୁହାଯାଏ ଯେ କୌଣସି ବି ଗାର୍ଡ ଏହି ସ୍ଥାନରେ ଗୋଟିଏ ରାତିରୁ ଅଧିକ ରହିପାରେ ନାହିଁ । ଏହା ଏକ ଐତିହ୍ୟ ସ୍ଥାନ ହେଲେ ମଧ୍ୟ ନିର୍ଜନ । ଲୋକମାନେ ଏହି ସ୍ଥାନକୁ ଆସିବାକୁ ଭୟ କରନ୍ତି ।

ଏହି ସ୍ଥାନର ନାଁ ହେଉଛି ଭୁଲି ଭଟିୟାରି । ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ସ୍ଥାନରେ ଅନେକ ଭୌତିକ କାଣ୍ଡ ଘଟିଥାଏ । ତେଣୁ ରାତି ହେଲେ ସେଇ ରାସ୍ତା ଦେଇ କୌଣସି ଲୋକ ଯିବାଆସିବା କରନ୍ତି ନାହିଁ । ଏହିଠାରେ ଥିବା ଭୁଲି ଭଟିୟାରି ଦୁର୍ଗକୁ ଭୁଲି ଭଟିୟାରିର ମହଲ କୁହାଯାଏ । ଏହି ଦୁର୍ଗକୁ ତ୍ରୟଦଶ ଶତାବ୍ଦୀରେ ଫିରୋଜ ଶାହ ତୁଗଲକ ଶିକାରଘର ରୂପେ ତିଆରି କରିଥିଲେ । ଏହିଠାରେ ପୂର୍ବରୁ ଏକ ବିଶାଳ ଗେଟ୍ ଥିଲା । ହେଲେ ଏବେ ସେଇ ଗେଟ୍ ମାଟି ତଳେ ପୋତି ହୋଇଗଲାଣି । ଦୁର୍ଗର କେବଳ ସମ୍ମୁଖ ଭଗ୍ନାବଶେଷ ଦେଖିବାକୁ ମିଳେ । ର୍ପୂବରୁ ଏହି ମହଲରେ ଏକ ବିଶାଳ ଅଗଣା ମଧ୍ୟ ଥିଲା । ଯାହାର ଚାରିପାଖରେ ଛୋଟ ଛୋଟ କକ୍ଷ ଥିଲା ଏବଂ ଶିକାର କରିବାକୁ ଆସୁଥିବା ରାଜପରିବାରମାନେ ଏହି କକ୍ଷରେ ରହୁଥିଲେ । ଏହି ଦୁର୍ଗକୁ ନେଇ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ ।