Odia News Portal

ବିଜେପୁର ଲଢେଇ ପାଇଁ ନାମାଙ୍କନ ଭରିଲେ ୩ଦଳର ପ୍ରାର୍ଥୀ

ବରଗଡ଼() ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୭ ଜଣ ପ୍ରାର୍ଥୀ ବିଜେପୁର ଆସନ ପାଇଁ ନାମାଙ୍କନ ଭରିଛନ୍ତି ।

ବିଜେଡି ପ୍ରାର୍ଥୀ ରୀତା ସାହୁ ଆଜି ବହୁ ବରିଷ୍ଠ ବିଜେଡି ନେତା ତଥା କର୍ମୀଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ନାମାନଙ୍କନ ପାଇଁ ଆସିଥିଲେ । ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ ଓ ପୂର୍ବତନ ବିଧାୟକ ଡାକ୍ତର ରାସେଶ୍ୱରୀ ପାଣ୍ରିଗ୍ରାହୀ ପ୍ରମୁଖ ରୀତା ସାହୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ।

ସେପଟେ ବିଜେପି ପ୍ରାର୍ଥୀ ସନତ ଗଡତିଆ ମଧ୍ୟ ଏକ ବିଶାଳ ପଟୁଆରରେ ଆସି ନାମାନଙ୍କନ ଦାଖଲ କରିଛନ୍ତି । ସନତଙ୍କ ସହ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ଏବଂ ସମସ୍ତେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଂଚିଥିଲେ ।

ଅନ୍ୟପଟେ ନିରାଡମ୍ବର ଭାବେ ଆସି ଉପଜିଲ୍ଳାପାଳଙ୍କ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ଆସନ୍ତା ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମତଦାନର ୩ ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି ହେବ ।