ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏକମାସ ବ୍ୟାପୀ ବିଜେଡି ପକ୍ଷରୁ ‘ଜନସଂପର୍କ ପଦଯାତ୍ରା’ ସାରା ରାଜ୍ୟରେ ଚାଲୁ ରହିଛି । ଏହି ଅବଧି ମଧ୍ୟରେ ରାଜ୍ୟବାସୀ ବିଭିନ୍ନ ପର୍ବପର୍ବାଣୀ ପାଳନରେ ବ୍ୟସ୍ତ ରହିଥିବା ଯୋଗୁଁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ପ୍ରାଣରେ ସବୁ ସ୍ଥାନରେ ପାଳନ କରାଯାଇ ପାରିନାହିଁ । ଆମ ଦଳର ନେତୃବୃନ୍ଦ ଏବଂ କର୍ମୀମାନେ ମଧ୍ୟ ଆମ ବିକାଶ ଏବଂ ଜନସେବାର ବାର୍ତ୍ତା ଘରେ ଘରେ ପହଞ୍ଚାଇ ପାରିନାହାନ୍ତି । ପଦଯାତ୍ରା ମାଧ୍ୟମରେ ପ୍ରତି ପରିବାରରେ ପହଞ୍ଚିବାର ଲକ୍ଷ୍ୟ ପୂର୍ଣ୍ଣ ମାତ୍ରାରେ ହାସଲ କରିବା ପାଇଁ ବିଜୁ ଜନତା ଦଳର ‘ଜନସଂପର୍କ ପଦଯାତ୍ରା’ କାର୍ଯ୍ୟକ୍ରମକୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ।
ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ପାଳିତ ହେଉଥିବା ଏ ବର୍ଷର ‘ଜନସଂପର୍କ ପଦଯାତ୍ରା ଏହି ପରିବର୍ଦ୍ଧିତ ଅବଧି ମଧ୍ୟରେ ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଳକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ, ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ସ୍ତରରେ ସମ୍ପୃକ୍ତ ଜିଲ୍ଲା ସଭାପତି ପୂର୍ବଭଳି ଉପସ୍ଥିତ ରହି ପଦଯାତ୍ରାକୁ ପୂର୍ଣ୍ଣ ପ୍ରାଣରେ ସଫଳ କରାଇବେ । ଦଳର ମହିଳା, ଯୁବ ଏବଂ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ପଦଯାତ୍ରାରେ ଯୋଗଦେବା ସହିତ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏବଂ ଦଳୀୟ କର୍ମୀ ଯେଭଳି ବହୁ ସଂଖ୍ୟାରେ ପ୍ରତ୍ୟେକ ସ୍ଥାନରେ ଯୋଗ ଦିଅନ୍ତି, ତାହା ସୁନିଶ୍ଚିତ କରିବେ ।
ପଦଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜୁ ଜନତା ଦଳ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ସହିତ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରାଯିବ । ନଭେମ୍ବର ୧୫ ତାରିଖରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ରାଜ୍ୟର ଉନ୍ନତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ‘ସମୁହ ଶପଥ ଗ୍ରହଣ ପୂର୍ବକ ଏହି ପଦଯାତ୍ରାର ପରିସମାପ୍ତି କରାଯିବ । । ଏ ସମସ୍ତ କାର୍ଯ୍ୟ କିଭଳି ସୁଚାରୁରୂପେ ପ୍ରତେକ ସ୍ତରରେ ସଂପନ୍ନ ହେଲା, ତା’ର ସବିଶେଷ ବିବରଣୀ ମୋ ଅବଗତି ନିମନ୍ତେ ଜଣାଇବେ ।