Odia News Portal

ପ୍ରଦୀପଙ୍କ ଅଧୂରା ସ୍ୱପ୍ନ ସାକାର ପଥରେ ରୁଦ୍ର

ମୁଖ୍ୟମନ୍ତ୍ରୀ, ବାପା ମାଙ୍କ ଆଶୀର୍ବାଦ ମୋ ସହ ସର୍ବଦା ରହିଛି
ପିପିଲିରେ ଆଶ୍ରିତ ଏବଂ ରୁଦ୍ରଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା | ପିପିଲି ଉପ-ନିର୍ବାଚନ ପାଇଁ ରୁଦ୍ରପ୍ରତାପ ମହାରଥୀଙ୍କ ନାମରେ ବିଜେଡି ମୋହର ଲାଗିଛି । ବିଜେଡ଼ି ଦଳ ତରଫରୁ ରୁଦ୍ରପ୍ରତାପଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |ଏଥିସହ ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏଥିସହ ରୁଦ୍ରଙ୍କୁ ଆଗରେ ରଖି ଏଥର ବିଜେଡି ପିପିଲି ଉପ ନିର୍ବାଚନ ଲଢିବ ବୋଲି ପକ୍କା ହୋଇଯାଇଛି ।

ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ହେଉଛନ୍ତି ରୁଦ୍ର । ତେବେ ଦୀର୍ଘଦିନ ହେବ ବିଜେଡି ପ୍ରାର୍ଥୀଙ୍କୁ ନେଇ ଯେଉଁ ସସପେନ୍ସ ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରୁଦ୍ର । ପୂର୍ବରୁ ଦଳୀୟ ସଙ୍ଗଠନ ପାଇଁ କାମ କରି ଆସୁଥିବା ରୁଦ୍ର ୨୦୧୯ ନିର୍ବାଚନରେ ମଧ୍ୟ ବେଶ ସକ୍ରିୟ ଥିଲେ । ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ କିଏ ବିଜେଡିର ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଟିକେଟ ରେସରେ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ର ରହିଥିବା ବେଳେ ରୁଦ୍ରଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ପ୍ରାର୍ଥୀ ଘୋଷଣା ପରେ ରୁଦ୍ରପ୍ରତାପ ମହାରଥୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ | ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି | ପିପିଲି-ଡେ଼ଲାଙ୍ଗର ଉନ୍ନତି ପାଇଁ ଜି-ଜାନ୍ ଲଗାଇଦେବି | ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ପାଇବା ଯାହା ମା ପାଇବା ସେୟା ବୋଲି କହିଛନ୍ତି ରୁଦ୍ର |ମାଙ୍କ ଆଶୀର୍ବାଦ ସର୍ବଦା ମୋ ପ୍ରତି ଅଛି |ବାପା ମାଙ୍କ ବିନା ମୋର କିଛି ଅସ୍ତିତ୍ୱ ନାହିଁ | ମୋର ମୁକାବିଲା ମୋ ସହ ହେବ ବୋଲି କହିଛନ୍ତି ରୁଦ୍ର |

ଅନ୍ୟପକ୍ଷେ ପିପିଲି ଉପନିର୍ବାଚନ ପାଇଁ ଆଜି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ପିପିଲିରେ ଆଶ୍ରିତ ଏବଂ ରୁଦ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ | ତେବେ ଆଶ୍ରିତ ନାମାଙ୍କନ ଦାଖଲ କରିବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ସେଠାରେ ସେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।