Odia News Portal

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଭୁବନେଶ୍ବରରୁ ଶୁଭାରମ୍ଭ କରିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।ଗାନ୍ଧୀ ଜୟନ୍ତୀରୁ ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ ହୋଇଛି ।  ନଭେମ୍ୱର ୨ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଚାଲିବ କାର୍ଯ୍ୟକ୍ରମ । ଚଳିତ ଥର ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଓ ବିଜେଡି ଶାସନ କାଳର ସଫଳତାକୁ ନେଇ ଘରକୁ ଘର ଯିବ ବିଜୁ ଜନତା ଦଳ ।ଦଳୀୟ ନେତା ଓ କର୍ମୀମାନେ ଗାଁ, ୱାର୍ଡ, ବ୍ଲକ୍‌ ଓ ସଂଗଠନାତ୍ମକ ଜିଲ୍ଲାସ୍ତରରେ ଲୋକଙ୍କ ନିକଟକୁ ଯାଇ ଜନସମ୍ପର୍କ କରିବେ। ବିମାନବନ୍ଦର ନିକଟସ୍ଥ ରଜ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ଜନତା ଦଳ ନିଜର କାର୍ଯ୍ୟ ଓ ଲୋକଙ୍କ ପାଇଁ କରିଥିବା କାମ ଯୋଗୁଁ ସବୁବେଳେ ଲୋକଙ୍କ ହୃଦୟରେ ରହିଛି ଏବଂ ଆଗକୁ ମଧ୍ୟ ରହିବ। ରାଜ୍ୟର ବର୍ତ୍ତମାନ ପରିସ୍ଥିତିକୁ ନେଇ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ି ଆସିଛି ଏବଂ ଆଗାମୀ ଦିନରେ ଏହି ଲଢ଼େଇକୁ ଆହୁରି ଜୋରଦାର କରିବାକୁ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।