Odia News Portal

ଦିଲ୍ଲୀ ପ୍ରଚାରରେ ମାତିଛନ୍ତି ଓଡିଶାର ହାରୁ ନେତା, ଫଳ ଓଲଟିଲେ ନାମ ନେବା ସମ୍ଭାବନା

ଭୁବନେଶ୍ୱର : ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶ ତଥା ବିଦେଶର ନଜର ଥିବାବେଳେ ଓଡିଶାର କିଛି ନେତାଙ୍କ ଉପରେ ଲୋକେ ନଜର ରଖିଛନ୍ତି । ରାଜ୍ୟରେ ବାରମ୍ବାର ନିର୍ବାଚନରେ ହାରିଥିବା ଓ ଟିକଟ ଖଣ୍ଡେ ପାଇବାପାଇଁ ଡହଳ ବିକଳ ହେଉଥିବା ବହୁ ନେତା ଏବେ ଦିଲ୍ଲୀରେ ବିଭିନ୍ନ ରାଜନୈତିକଦଳ ପାଇଁ ପ୍ରଚାରରେ ଯାଇଛନ୍ତି । ଏମାନେ ଯେଉଁସବୁ ଅଞ୍ଚଳରେ ପ୍ରଚାର କରୁଛନ୍ତି ସେଠାରେ ସେମାନଙ୍କ ଦଳ କିଭଳି ପ୍ରଦର୍ଶନ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ଆସନ୍ତା ୮ ତାରିଖରେ ମତ ଦାନ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଭାବେ ଚାଲିଛି । ଏଠାରେ ମୁଖ୍ୟତଃ କ୍ଷମତାସୀନ ଆପ୍‍ ଓ କେନ୍ଦ୍ରରେ ସରକାରରେ ଥିବା ବିଜେପି ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହେଉଛି ।
ଯଦିଓ ବିଭିନ୍ନ ପୂର୍ବାନୁମାନ ଆପ୍‍ ସପକ୍ଷରେ ରହିଛି କିନ୍ତୁ ଦିଲ୍ଲୀକୁ ହାତଛଡା କରିବାକୁ ଚାହୁଁନଥିବା ବିଜେପି ଯେକୌଣସି ଉପରେ ଜନମତକୁ ନିଜ ସପକ୍ଷରେ ନେବାପାଇଁ ଅଣ୍ଟା ଭିଡିଛି । ଏଥିପାଇଁ ସାରା ଦେଶର ବିଭିନ୍ନ ରାଜ୍ୟରୁ ଛାମୁଆ କର୍ମୀମାନେ ଦିଲ୍ଲୀରେ ଡେରା ପକାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି । ଏହି କ୍ରମରେ ଓଡିଶାରୁ ମଧ୍ୟ କିଛି ନେତା ଦିଲ୍ଲୀରେ ଥିବା ଓଡିଆମାନଙ୍କ ଭୋଟ ବିଜେପି ପଟକୁ ଆଣିବାପାଇଁ ଯାଇଛନ୍ତି । ଏମାନଙ୍କ ମଧ୍ୟରେ ର୍ନିବାଚନ ଜିଣିଥିବା ନେତାଙ୍କ ସଂଖ୍ୟା ହାତଗଣତି । କିଏ ଗତ ନିର୍ବାଚନରେ ଚିତ୍‍ପଟାଙ୍ଗ ମାରିଛି ତ ଆଉ କିଏ ଟିକଟ ଖଣ୍ଡେ ପାଇଁ ଭୁବନେଶ୍ୱରରେ ଚକ୍କର କାଟି କାଟି ହାଲିଆ ହୋଇଛି । ଯେଉଁ ନିର୍ବାଚିତ ବିଜେପି ନେତାମାନେ ଦିଲ୍ଲୀ ଯାଇଛନ୍ତି ସେମାନେ ପ୍ରଚାର ପାଇଁ ସମୟ ପାଉନାହାନ୍ତି । ସବୁଠାରୁ ବଡ କଥା ହେଲା ନିଜ ଆଡୁ ସଜବାଜ ହୋଇଥିବା ଯାଇଥିବା ଏହି ବିଜେପି ନେତାମାନେ କେତେଦୂର ଜନମତ ପ୍ରଭାବିତ କରିବେ ତାହା ଉପରେ ଏବେ ନଜର । ସେମାନଙ୍କ ବିରୋଧିମାନେ ବି ତାଲିକା ପ୍ରସ୍ତୁତକରି ବସିଛନ୍ତି । ଏମାନେ ପ୍ରଚାର ଚଳାଇଥିବା ଇଲାକାରେ ଯଦି ଓଡିଆ ଭୋଟ ପଦ୍ମ ଚିହ୍ନରେ ନବାଜିଲା ତେବେ ଓଡିଶାରେ ଏମାନଙ୍କ ବାର୍‍ ବଜାଇବା ପାଇଁ ଥୋକେ ସଜିଲ ହୋଇ ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେଣୁ ଏହି ଓଡିଆ ନେତାମାନେ ଦିଲ୍ଲୀରେ କେଉଁଠାରେ କେଉଁଭଳି କାହା ସହିତ ପ୍ରଚାର ଚଳାଇଛନ୍ତି ଭୁବନେଶ୍ୱରରେ ତାହାର ହିସାବ ନିକାସ ଚାଲିଛି । କେବଳ ବିଜେପି ନୁହେଁ ଆପ୍‍ର ଅନେକ ନେତା ଓ କର୍ମୀ ବି ଦିଲ୍ଲୀ ଯାଇଛନ୍ତି । ହେଲେ ଏମାନଙ୍କ କଥା ଟିକେ ନିଆରାା  ଯଦିଓ ଦିଲ୍ଲୀରେ ଆପ୍‍ ସରାକର ରହିଛି ହେଲେ ଓଡିଶାର ନେତାଙ୍କୁ ସେଠାରେ ପଇସାଟିଏ ମିଳିବାର ନାହିଁ ।
ତେଣୁ ଏମାନେ ସାଙ୍ଗରେ ଚୂଡା ଚାଉଳ ଧରି ଯାଇଥିବା ସୂଚନା ମିଳିଛି । ନିଜ ଖର୍ଚ୍ଚରେ ଏମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେଣୁ ଏମାନଙ୍କୁ ନେଇ ସେତେଟା ଚର୍ଚ୍ଚା ନାହିଁ । ଅନ୍ୟ ପକ୍ଷରେ କଂଗ୍ରେସ ଦିଲ୍ଲୀରେ ସେଭଳି କିଛି ହଟଚମଟ କରିବାର ନଥିବାବେଳେ ଓଡିଶାରୁ କେହି ଦଳପାଇଁ ପ୍ରଚାରରେ ଯାଇଥିବାର ସୂଚନା ନାହିଁ । ତେଣୁ ବହୁ ଆଡମ୍ବରରେ ଦିଲ୍ଲୀରେ ପ୍ରଚାର କରୁଥିବା ନେଇ ଓଡିଶାରେ ଘନ ଘନ ପ୍ରଚାର ଚଳାଇଥିବା ବିଜେପି ନେତାମାନେ କିଭଳି ଫଳପ୍ରସୂ ହେଉଛନ୍ତି ତାହା ଉପରେ ଏବେ ରାଜ୍ୟବାସୀ ତଥା ବିଜେପି ନେତାଙ୍କ ନଜର ରହିଛି ।