Odia News Portal

କୁସ୍ତି ସଂଘ ବିବାଦ: ସଭାପତିଙ୍କୁ ସମର୍ଥନ ମହଙ୍ଗା ପଡ଼ିଲା

ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁର୍ନୀତି ଅଭିଯୋଗ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଶେଷରେ ଆକ୍ସନ ମୋଡକୁ ଆସିଛି ‌। ଡବ୍ଲୁଏଫ୍ଆଇର ସହସମ୍ପାଦକ ବିନୋଦ ତୋମରଙ୍କୁ ସସପେଣ୍ଡ୍ କରାଯାଇଛି।

ଏହାଛଡ଼ା ମନ୍ତ୍ରଣାଳୟ ବ୍ରଜ ଭୂଷଣ ଶରଣ ସିଂହଙ୍କ‌‌ ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଗୋଣ୍ଡାରେ ଓପନ୍ ଚାମ୍ପିଅନସିପ୍ ରେସଲିଂ ଇଭେଣ୍ଟକୁ ମଧ୍ୟ ବାତିଲ କରିଦେଇଛି ।

ତୋମରଙ୍କ ଉପସ୍ଥିତି ଡବ୍ଲୁଏଫ୍ଆଇ ଓ ଏହାର ସଭାପତି ବ୍ରଜ ଭୂଷଣଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ପ୍ରଭାବିତ କରିବା ସମ୍ଭାବନା ରହିଥିବାରୁ କ୍ରୀଡା ମନ୍ତ୍ରଣାଳୟ ତାଙ୍କୁ ସସପେଣ୍ଡ୍ କରିଛି । ସେ ବ୍ରଜଭୂଷଣଙ୍କୁ ସମର୍ଥନ କରି ବୟାନ ଦେଇଥିଲେ ।

ମନ୍ତ୍ରଣାଳୟ ଦ୍ଵାରା ଗଠିତ ମନିଟରିଂ କମିଟିକୁ ମଧ୍ୟ ଭାରତୀୟ କୁସ୍ତି ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ନେବାକୁ ଖୁବ ଶୀଘ୍ର କ୍ଷମତା ପ୍ରଦାନ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଶୁକ୍ରବାର ବିଳମ୍ବିତ ରାତିରେ କୁସ୍ତିଯୋଦ୍ଧାଙ୍କ ସହ ମାରାଥନ ଆଲୋଚନା ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଡବ୍ଲୁଏଫ୍ଆଇ ସଭାପତି ବ୍ରଜ ଭୂଷଣଙ୍କ ବିରୋଧରେ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ସମେତ ଦେଶର ବରିଷ୍ଠ କୁସ୍ତିଯୋଦ୍ଧାଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ତଦନ୍ତ ପାଇଁ ସରକାର ଏକ ମନିଟରିଂ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସଭାପତି ବ୍ରଜଭୂଷଣ କାର୍ଯ୍ୟରୁ ଦୂରେଇ ରହିବେ ବୋଲି ଠାକୁର କହିଥିଲେ ।