Odia News Portal

ବ୍ରଜରାଜନଗର ଉପନିର୍ବାଚନ; ପ୍ରଚାର ମଇଦାନରେ ଶାସକ ଦଳକୁ କଡ଼ା ଟକ୍କର ଦେଉଛନ୍ତି ବିରୋଧୀ

ବ୍ରଜରାଜନଗର ଊପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ଏଥର କିଏ ବାଜି ମାରିବ ସେନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ସେପଟେ ରାଜନୈତିକ ଦଳମାନେ ମଧ୍ୟ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ରୋଚକ ମୋଡ଼କୁ ନେଉଛି। ପ୍ରତିଦିନ ସକାଳୁ ରାତି ପର‌୍ୟ୍ୟନ୍ତ ସବୁ ଦଳ ପକ୍ଷରୁ ସାରା ନିର୍ବାଚନ ମଣ୍ଡଳୀରେ ଘନଘନ ନିର୍ବାଚନୀ ସଭା ଅନୁଷ୍ଠିତ ହେଉଛି। ଉପନିର୍ବାଚନ ହୋଇଥିବାରୁ ସାରା ରାଜ୍ୟର ସବୁ ଦେଳର ନେତା ଏଠାରେ ଡେରା ପକାଇଛନ୍ତି। ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଶାସକ ବିଜେଡି ଦଳକୁ ଆକ୍ରମଣାତ୍ମକ ଢଙ୍ଗରେ ତୀବ୍ର ସମାଲୋଚନା କରି ଘାଇଲା କରି ପକାଉଥିବା ବ‌େଳେ ସମାଲୋଚନାରୁ ବଞ୍ଚିବା ପାଇଁ ଶାସକ ବିଜେଡି ଦଳ ପକ୍ଷରୁ ନବୀନଙ୍କ ଭାବମୂର୍ତ୍ତିକୁ ଢାଲ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ଦୀର୍ଘ ଦିନ ଧରି ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଏହି ଉପନିର୍ବାଚନରେ ବେଶ ସକ୍ରିୟ ହୋଇ ଉଠିଛି। ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ତୁଙ୍ଗ ନେତା ମାନେ ଗତ ସପ୍ତାହେ ହେଲା ଏଠାରେ ଘନଘନ ପ୍ରଚାର କରୁଛନ୍ତି। ସେପଟେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ସମସ୍ୟା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତାକୁ ବିରୋଧୀ ଅସ୍ତ୍ର କରିଛନ୍ତି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ଗଡ଼ ଥିବା ବେଳେ ଏବେ ଏଠାରେ କଂଗ୍ରେସ ଓ କମ୍ୟୁନିଷ୍ଟ ତାଙ୍କର ସତ୍ତା ଖୋଜୁଥିବା ଭଳି ଅବସ୍ଥାକୁ ଆସି ଯାଇଛନ୍ତି।

କାଁ ଭାଁ କଂଗ୍ରେସ କର୍ମୀଙ୍କୁ ଛାଡ଼ିଦେଲେ ସବୁ କର୍ମୀ ବିଜେଡି ମୁହାଁ ହୋଇ ସାରିଛନ୍ତି। କଂଗ୍ରେସ ଏହି ନିର୍ବାଚନରେ ନେତୃତ୍ବ ହରାଇବା ସୁଯୋଗରେ ବିଜେଡି ଓ ବିଜେପି ଏହି ଗଡ଼ରେ ନିଜର ପତିଆରା ବୃଦ୍ଧି କରି ସାରିଛନ୍ତି। କମ୍ୟୁନିଷ୍ଟ ନେତା ତଥା ଏହି ଅଞ୍ଚଳର ସର୍ବମାନ୍ୟ ଜନନେତା ପ୍ରସନ୍ନ ପଣ୍ଡାଙ୍କ ବିୟୋଗ ପରେ କମ୍ୟୁନିଷ୍ଟ ପୂରା ଭାଙ୍ଗି ପଡ଼ିଥିଲା। ସେହିପରି କଂଗ୍ରେସ ନେତା ଅନୁପ ସାଏ ବିଜେଡିରେ ଯୋଗଦାନ ପ‌ରଠାରୁ କଂଗ୍ରେସ ଏଠାରେ ସତ୍ତା ହରାଇଥିଲା। ତେବେ ସୁନ୍ଦରଗଡ଼ରୁ ଆସି କଂଗ୍ରେସ କମାଣ୍ଡ ସମ୍ଭାଳୁଥିବା କିଶୋର ପଟେଲ ଏଠାରେ କୋଲିଆରି ଶ୍ରମିକ ସଂଗଠନର ନେତୃତ୍ବ ନେଇଥିବା କାରଣରୁ କଂଗ୍ରେସ କିଛି ମାତ୍ରାରେ ବଞ୍ଚି ରହିଥିଲା। ତେବେ ଶ୍ରୀ ପଟେଲ ବୟସାଧିକ କାରଣ ତଥା ସାରା ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଥିବା ଦୃଷ୍ଟିରୁ ପୁଣିଥରେ ଏଠାରେ କଂଗ୍ରେସକୁ ସଂଗଠିତ କରିବାରେ ଯଦିଓ ସଫଳ ହୋଇ ନଥିଲେ ତେବେ ଏହି ଉପନିର୍ବାଚନରେ କଂଗ୍ରେସ ପୁଣିଥରେ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି।