Odia News Portal

ମନ୍ଦିର ନିକଟରେ କାର୍ ବିସ୍ଫୋରଣ ଘଟଣା: ୫ ଗିରଫ

ରବିବାର ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଗୋଟିଏ ମନ୍ଦିର ପାଖରେ ହୋଇଥି କାର୍ ବିସ୍ଫୋରଣ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ତଦନ୍ତକାରୀ ସଂସ୍ଥା। ଏହି ବିସ୍ଫୋରଣ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗୁ ହୋଇଥିଲେ ମଧ୍ୟ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଅଭିଯୁକ୍ତମାନଙ୍କ ନାଁରେ କଠୋର ଆତଙ୍କବାଦ ନିରୋଧ ଆଇନ ୟୁଏପିଏରେ ମାମଲା ରୁଜୁ କରାଯାଇଛି। ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଜାମେଜା ମୁବିନ ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଖୋଳତାଡ଼ କରିବା ପରେ ପ୍ରାଣ ହରାଇଥିବା ଯୁବକଙ୍କ ଠିକଣାରୁ ୭୫ କେଜିର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେଣୁ ୟୁଏପିଏ ଲାଗୁ କରାଯାଇଛି। ଏହାର ଅର୍ଥ ଏବେ ଘଟଣାର ତଦନ୍ତ ଦାୟିତ୍ୱ ତାମିଲନାଡୁ ପୁଲିସ୍ ଠାରୁ ଏନଆଇଏ ନେବ। ରାଜ୍ୟ ପୁଲିସ୍ କାର୍ରେ ହୋଇଥିବା ସିଲିଣ୍ଡର ବିସ୍ଫୋରଣ ପଛରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହ କରି ତଦନ୍ତ କରୁଥିଲା। ସେହିପରି ପ୍ରାଣ ହରାଇଥିବା ଯୁବକଙ୍କ ଲିଙ୍କରେ ଆଉ ୫ ଜଣଙ୍କୁ ଗିରଫ କରିଥିଲା।