ନୂଆଦିଲ୍ଲୀ : କାରୋନାର ଦ୍ୱିତୀୟ ଲହରରେ ସାରା ଦେଶ ନୟାନ୍ତ ହୋଇପଡ଼ିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଆହୁରି ସଂଗୀନ ସ୍ଥିତି ଚାଲିଗଲାଣି । ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୫ ବର୍ଷରୁ ଊଦ୍ଦ୍ୱର୍ ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି । ତେବେ ଦ୍ୱିତୀୟ ଲହରରେ ୪୫ ବର୍ଷରୁ କମ୍ ବର୍ଷ ବୟସର ଲୋକଙ୍କୁ ସଂକ୍ରମିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣ ବୟସ କମାଇବାକୁ ପ୍ରସ୍ତାବ ଦେଇଥିଲେ । ଏଭଳି ସ୍ଥିତିରେ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୌଠକ ପରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ମୋଦି ଏନେଇ କହିଛନ୍ତି ପୂର୍ବ ଏକ ବର୍ଷ ଧରି ସରକାର ଏହି ଭାଇରସ୍ ଉପରେ କାବୁ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଥି ସହିତ ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯିବା ନେଇ ପ୍ରସ୍ତୁତି ଜୋର୍ଜାର୍ କରାଯାଉଛି ।
ଆସନ୍ତା ମେ ମାସ ୧ରୁ ଦେଶର ୧୮ ବର୍ଷରୁ ଅଧିକ ବୟସ ସମସ୍ତେ ଟିକା ନେଇପାରିବେ । ସେହିପରି ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ମଧ୍ୟ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଣିକି ରାଜ୍ୟମାନେ ସିଧାସଳଖ ଟିକା ପାଇପାରିବେ । ତେବେ ରାଜ୍ୟମାନଙ୍କୁ ଟିକା କିଣିବାକୁ ପଡ଼ିବ । ଟିକା ଉତ୍ପାଦନକାରୀ ସଂସ୍ଥାମାନେ କେନ୍ଦ୍ରକୁ ୫୦% ଯୋଗାଇବେ । ବାକି ୫୦% ଟିକା ରାଜ୍ୟ ସରକାରଙ୍କୁ ଦେଇପାରିବେ ଉତ୍ପାଦକ । କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଉଥିବାବେଳେ ବିଭିନ୍ନ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେଉଛି ।