Odia News Portal

ଚହରଙ୍କ ଚମକରେ ଚେନ୍ନାଇର ପ୍ରଥମ ବିଜୟ

ମୁମ୍ବାଇ : ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ବିଜୟଧାରାକୁ ଫେରିଛି । ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ଶ ସଂସ୍କରଣରେ ନିଜର ପ୍ରଥମ ବିଜୟ ହାସଲ କରିଛି। ନିଜର ଦ୍ଵିତୀୟ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରଥମ ପରାଜୟ ଭୋଗିଛି। ୧୦୭ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ସୁପରକିଙ୍ଗ୍ସ ୧୫.୪ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜ ବିଜୟ ଲକ୍ଷ୍ୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୦୬ ରନ କରିଥିଲା। ଦଳ ପକ୍ଷରୁ ଶାହାରୁଖ ଖାନ ସର୍ବାଧିକ ୪୭ ରନ କରିଥିଲେ। ଜବାବରେ  ମୋଇନ ଅଲ୍ଲୀ(୪୬) ଓ ଫାଫ ଡୁପ୍ଲେସିସ୍‌ଙ୍କ ଅପରାଜିତ ୩୬ ରନ  ଜରିଆରେ ଚେନ୍ନାଇ ୧୫.୪ ଓଭରରେ ୧୦୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୀପକ ଚହର ୧୩ ରନରେ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୧୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇକୁ ଦୁଇ ଓପନର ଋତୁରାଜ ଗାଏକଓ୍ଵାଡ ଓ ଫାଫ ଡୁ ପ୍ଲେସିସ୍ ୨୪ ରନ ଯୋଡିଥିଲେ। ଗାଏକଓ୍ଵାଡ(୫) କରି ଆଉଟ୍ ହୋଇଥିଲେ। ପରେ ଡୁପ୍ଲେସିସ୍‌ ଓ ମୋଇନ ଅଲ୍ଲୀ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୬୬ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ୯୦ ରନ ସ୍କୋରରେ ମୋଇନ ଅଲ୍ଲୀ ଆଉଟ୍ ହୋଇଥିଲେ। ସେ ୩୧ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୪୬ ରନ କରି ପାଭିଲିୟନ ଫେରିଥିଲେ। ପରେ ଚେନ୍ନାଇ ଶୀଘ୍ର ଜିତିବା ଚକ୍କରରେ ୨ଟି ଓ୍ଵିକେଟ୍ ହରାଇଥିଲା। ସୁରେଶ ରୈନା(୮) ଓ ଅମ୍ବତି ରାୟୁଡୁ(୦) ଆଉଟ୍ ହୋଇଥିଲେ। ଫାଫ ଡୁପ୍ଲେସିସ୍‌ ୩୬ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ସାମ କୁରନ ୫ ରନ କରିଥିଲେ। ୧୫.୪ ଓଭରରେ ୪ ଓ୍ଵିକେଟ୍ ହରାଇ ଚେନ୍ନାଇ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି।

ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷରଦୀପ ସିଂହ ଓ ମୁରୁଗାନ ଅଶ୍ଵିନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଚେନ୍ନାଇ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍  ହରାଇ ୧୦୬ ରନ କରିଥିଲେ। ଦଳ ପକ୍ଷରୁ ଶାହରୁଖ ଖାନ ସର୍ବାଧିକ ୪୭ ରନ କରିଥିଲେ। ବାକି ବ୍ୟାଟସମ୍ୟାନ ବିଫଳ ହୋଇଥିଲେ। ଦୀପକ ଚହର ୧୩ ରନରେ ୪ ଓ୍ଵିକେଟ୍ ନେଇ ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।