Odia News Portal

ଦେଶ ଯବାନମାନଙ୍କ ବଳିଦାନକୁ ଭୁଲିବନାହିଁ

.ନିର୍ବାଚନୀ ରାଲି ଛାଡି ଦିଲ୍ଲୀ ଗଲେ ଶାହା

ନୂଆଦିଲ୍ଲୀ : ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି ବୋଲି ବିଜାପୁର ଏସପି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଏନକାଉଣ୍ଟରରେ ୩୦ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩  ଜଣ ଯବାନଙ୍କୁ  ଚିକତ୍ସା ନିମନ୍ତେ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣ  ଯବାନ ରାୟପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଏପରି ଅଘଟଣରେ ଦୁଃଖ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ଦେଶ ଯବାନମାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ। ଶାନ୍ତି ଏବଂ ବିକାଶର ଶତ୍ରୁଙ୍କ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ଶାହ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନୀ ରାଲି ଛାଡି ଦିଲ୍ଲୀ ଉଡାଣ ଭରିଛନ୍ତି । ଛତିଗଡରେ ଲାଲବାହିନୀଙ୍କ ଲାଲ ତାଣ୍ଡବର ସମୀକ୍ଷା ପାଇଁ ଗୃହମନ୍ତ୍ରୀ ଦିଲ୍ଲୀରେ ଜରୁରୀ ବୈଠକ କରିବା ନେଇ ସୂଚନା ମିଳିଛି । ଏହା ସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନ ଯୋଗେ କଥା ହେବା ସହିତ ଘଟଣା ବାବଦରେ ପଚାରି ବୁଝିଛନ୍ତି ଶାହା । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଘଟଣା ବାବଦରେ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।


ଗତ ଶନିବାର ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ ସମୟରେ ଯବାନ ଏବଂ ମାଓବାଦୀ  ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ୫ ଯବାନ ଶହୀଦ ହୋଇଥିବା ନେଇ ଗତକାଲି ଜଣାପଡ଼ିଥିଲା।   ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ୨୦ରୁ ଅଧିକ ଯବାନ ନିଖୋଜ ରହିଥିଲେ। ଆଜି ଘଟଣାସ୍ଥଳରୁ ନିଖୋଜ ଥିବା ଯବାନ ମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡର ବିଜାପୁର ଜିଲା ଅନ୍ତର୍ଗତ ତାକୁଳଗୁଡ଼ାମ ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟ ରେ ଗୁଳି ବିନିମୟ ହୋଇଥିଲା। ଏହି ଜଙ୍ଗଲରେ ପ୍ରାୟ ୬୦୦ରୁ ଅଧିକ ମାଓବାଦୀ ଏକ ବୈଠକ କରୁଥିବା ଖବର ପାଇ ବିଜାପୁର ପୁଲିସ, ସିଆରପିଏଫ, ଡିଆରଜି, ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ସ୍ବତନ୍ତ୍ର କୋମ୍ବିଂ ଅପରେଶନ କରାଯାଇଥିଲା। ତେଵେ ଯବାନମାନେ ଆସିବା ନେଇ ପୂର୍ବରୁ ମାଓବାଦୀମାନେ ଖବର ପାଇଯାଇଥିଲେ। ତେଣୁ ସେମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଯବାନଙ୍କୁ ଛକି ରହିଥିଲେ। ଯବାନମାନେ ଜଙ୍ଗଲରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଜାଲରେ ଫଶିଯାଇଥିଲେ। ବିସ୍ଫୋରଣ ଏବଂ ଆଖିବୁଜା ଗୁଳିମାଡ଼ରେ 20  ଯବାନ ଶହୀଦ ହୋଇଥିଲେ। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି।