Odia News Portal

ଓଡିଶାରେ ବୁଲୁଛି ଚାଇନା ପାରା

ରାଉରକେଲା: ରାଉରକେଲା କାଂଶବାହାଲରେ ଗତ ୨ ତାରିଖ ଅପରାହ୍ନରେ ଏକ ପାରା ଉଦ୍ଧାର ହୋଇଛି। ଏହି ପାରାର ଆକାର ସାଧାରଣ ପାରାଠାରୁ ସାମାନ୍ୟ ବଡ଼। ତେବେ ଏହି ପାରା ଗୋଡ଼ରେ ଚୀନ ଭାଷାରେ ଲିଖିତ ଏକ ଟ୍ୟାଗ୍ ରହିଛି। ଟ୍ୟାଗ୍ ଭିତରେ ପାରା ଗୋଡ଼ରେ ଲାଗିଛି ଅଜଣା ଯନ୍ତ୍ର। ଉକ୍ତ ଟ୍ୟାଗ୍ ରେ ଇଂରାଜୀରେ କ୍ରମିକ ସଂଖ୍ୟା ବି ନାମିତ କରାଯାଇଛି।
ଚାଇନିଜ୍ ଭାଷାରେ ଲେଖାହୋଇଥିବା କିଛି ଅକ୍ଷରକୁ ଦେଖି ଏହି ପାରା ଚୀନର ବୋଲି ସନ୍ଦେହ କରାଯାଉଛି। ତେବେ ଏହି ପାରା କାଂଶବାହାଲକୁ ଆସିଲା କେମିତି? ଗୁପ୍ତଚର କାର୍ୟ୍ୟ ପାଇଁ ଏହା କୌଣସି ଶତ୍ରୁ ଦେଶର ଷଡ଼ଯନ୍ତ୍ର ନୁହେଁ ତ? ଏଭଳି ଅନେକ ପ୍ରଶ୍ନ ସ୍ଥାନୀୟଙ୍କ ମନରେ ଉଙ୍କି ମାରୁଛି। ଯାହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ସମସ୍ତେ । ଏନେଇ ପୋଲିସକୁ ସୂଚନା ଦିଆଯାଇଛି।
ସୂଚନାନୁସାରେ କାଂଶବାହାଲର ସର୍ବେଶ୍ୱର ଛୋଟରାୟ। ହଠାତ୍ ସଂନ୍ଧ୍ୟା ସମୟରେ ତାଙ୍କ ଘର ଭିତରକୁ ଏକ ପାରା ପଶିଆସିଥିଲା। ପାରାକୁ ଉଦ୍ଧାର କରିବାକୁ ପରିବାର ସଦସ୍ୟ ଚେଷ୍ଟା କରିଥିଲେ। କିଛି ସମୟପରେ ପାରାକୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ ଉକ୍ତ ପାରା ଗୋଡ଼ରେ ଚୀନ ଟ୍ୟାଗ୍ ଥିବା ଏକ ମୁଦି ଲାଗିଥିବା ଦେଖିବାକୁ ପାଇଥିଲେ।
ତେବେ ଟାଗ୍ ଭିତରେ ଅଜଣା ଯନ୍ତ୍ର ଥିବା ସନ୍ଦେହ କରି ପାରାଟିକୁ ସୁରକ୍ଷିତଭାବେ ଅନ୍ୟତ୍ର ରଖାଯାଇଛି। ଏହି ଖବର ପ୍ରଚାର ହେବାପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।