ଆଜି ପବିତ୍ର ବଡଦିନରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟ ରାତି ୩ଟା ଯାଏଁ ଚଳଚଞ୍ଚଳ ଥିଲା ରାଜଧାନୀ ତଥା ରାଜ୍ୟର ବିଭିନ୍ନ ଅନ୍ୟ ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ସମସ୍ତ ଚର୍ଚ୍ଚ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ଟ୍ରି । ଚର୍ଚ୍ଚ ମୁଖରିତ ହେଉଥିଲା କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କ ଆଗମନକୁ ଏପରି ଭାବରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି ।
ବଡଦିନର ଏହି ପବିତ୍ର ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗିଥିଲା ଗହଳ ଚହଳ । ଠିକ ମଧ୍ୟ ରାତ୍ରରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଧରା ଅବତରଣ କରିଥିଲେ ଯୀଶୁ । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ ଖ୍ରୀଷ୍ଟ ଧର୍ମୀ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ । ଭୁବନେଶ୍ୱରର ସତ୍ୟନଗର ଚର୍ଚ୍ଚରେ ବଡ଼ଦିନ ବହୁ ଧୁମଧାମରେ କରୋନା କଟକଣା ମଧ୍ୟରେ ପାଳନ ହୋଇଛି । ଶ୍ରଦ୍ଧାର ସହ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରୁଛନ୍ତି ଶ୍ରଦ୍ଧାଳୁ ।କୋଭିଡ ନିୟମ ପାଳନ ସହ ପ୍ରାର୍ଥନା କରାଯାଉଛି ।