Odia News Portal

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲେଶ୍ୱରରେ ସ୍କୁଲ୍ ବନ୍ଦ

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପାଇଁ କଡ଼ା ସୁରକ୍ଷା । ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଷ୍ଟେସନ୍ ଛକରୁ ଆଇଟିଆଇ ଛକ ଯାଏଁ ନୋ ମେନ୍ ଜୋନ୍ ଘୋଷିତ କରାଯାଇଛି । ନୋ ମେନ୍ ଜୋନ୍‌ରେ ଆସୁଥିବା ସରକାରୀ ଓ ଘରୋଇ ସ୍କୁଲ୍‌କୁ ବନ୍ଦ କରାଯାଇଛି । ସ୍କୁଲ୍ ପିଲା ଅଧା ବାଟରୁ ଫେରୁଛନ୍ତି ବୋଲି ସୂଚନା ମିଳିଛି । ବ୍ୟାଙ୍କ କର୍ମଚାରୀ ମଧ୍ୟ ତାଙ୍କର କାର୍ଯ୍ୟାଳୟକୁ ଯାଇ ପାରୁ ନାହାଁନ୍ତି । ଏ ନେଇ ଡିଇଓ କହୁଛନ୍ତି ଆମେ ସ୍କୁଲ୍ ବନ୍ଦ କରିବା ପାଇଁ କାହାରିକୁ କହି ନାହୁଁ ।

ଆଜି ବାଲେଶ୍ବର ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଦିନ ୧୦ଟା ୫ରେ ନବୀନ ନିବାସରୁ ବାଲେଶ୍ବର ଅଭିମୁଖେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧ଟା ୧୫ରେ ବାଲେଶ୍ବର ପୋଲିସ ପରେଡ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ।

ପୋଲିସ ଲାଇନ୍ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ ୧୫ ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି । ଟେକ୍‌ନିକାଲ ଫିଲଡ, ଫକୀର ମୋହନ କଲେଜ ପଡ଼ିଆ, ଆଇଟିଆଇ ପଡ଼ିଆ ଭଳି ୫ଟି ପଡ଼ିଆରେ ଗାଡ଼ି ପାର୍କିଂ ପାଇଁ ସୁବିଧା ହୋଇଛି । ଏସ୍‌ପିଙ୍କ ନେତୃତ୍ବରେ ୨ଜଣ ଅତିରିକ୍ତ ଏସ୍‌ପି, ୬ଜଣ ଡ଼ିଏସ୍‌ପି, ୧୧ ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ ହୋଇଛନ୍ତି।