ଆଜି ସାରା ରାଜ୍ୟରେ ନିଜର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳ । ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର କର୍ମୀମାନଙ୍କୁ ଦେଇଛନ୍ତି ଏକ ମନ୍ତ୍ର । ରାଜ୍ୟବାସୀଙ୍କ ହୃଦୟକୁ କେମିତି ଜିତାଯାଇ ପାରିବ, ସେ ନେଇ ନେତାମାନଙ୍କୁ ଉଦବୋଧନ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ଧାମ ପୁରୀରୁ ଦଳୀୟ କର୍ମୀମାନଙ୍କୁ ଭଲ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ପ୍ରତିଷ୍ଠା ଉତ୍ସରେ ଯୋଗ ଦେଇ ନବୀନ ଦଳୀୟ କର୍ମୀମାନଙ୍କୁ ଉପଦେଶ ତଥା ବୃହତ୍ ମନ୍ତ୍ର ଦେଇଛନ୍ତି । ଏହି ମନ୍ତ୍ରରେ ଲୋକମାନଙ୍କ ପାଇଁ ଭଲ କାମ କରିବାକୁ ସେ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି । ରାଜ୍ୟରେ ମହିଳା, ଆଦିବାସୀ, ଦଳିତ ଏବଂ ଚାଷୀମାନଙ୍କ ପାଇଁ ଭଲ କାମ କରିବାକୁ ନବୀନ ପ୍ରୋତ୍ସାହନ ଦେଇଛନ୍ତି । ରାଜ୍ୟରେ ଗତ ୨୨ ବର୍ଷରୁ ବିଜେଡି ସରକାର ରହିଛି । ତେବେ ଏହାକୁ ଆହୁରି ଦୀର୍ଘସ୍ଥାୟୀ କରିବା ପାଇଁ ମା’ମାନଙ୍କ ଆଶୀର୍ବାଦ ଏବଂ ସମର୍ଥନ ନିହାତି ଆବଶ୍ୟକ । ମା’ମାନେ ଚାହିଁଲେ ବିଜେଡି ୨୨ ବର୍ଷରୁ ୧୦୦ ବର୍ଷ ରହିପାରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ପୁରୀର ଏକ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗକୁ ଆହ୍ୱାନ ଦେଇଛନ୍ତି । ଯେଉଁମାନେ ଓଡିଶା ତଥା ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି ସେମାନେ ଦଳରେ ମିଶନ୍ତୁ ବୋଲି କହିଛନ୍ତି ନବୀନ ବାବୁ । ପ୍ରଫେସନାଲ,କ୍ରୀଡାବିତ କିମ୍ବ ସାହିତ୍ୟିକ ବି ହୁଅନ୍ତୁ ସମସ୍ତଙ୍କୁ ବିଜେଡି ସ୍ୱାଗତ ଗରୁଛି । ବିଜୁ ଜନତା ଦଳ ହେଉଛି ଓଡିଶାର ଦଳ, ଓଡିଶାବାସୀଙ୍କ ପାଇଁ ବିଜେଡି କାମ କରୁଛି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଜାତୀୟ ଦଳର ଏଜେଣ୍ଡାରେ ଓଡିଶା ରାଜନୀତି ରହିବ ନାହିଁ । ଏହାସହିତ ମା’ ମାନଙ୍କୁ ମଧ୍ୟ ଦଳରେ ମିଶିବା ସହ ଓଡିଶା ବିକାଶର ଦାୟିତ୍ୱ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।