Odia News Portal

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣରେ:ମୁଖ୍ୟମନ୍ତ୍ରୀ

ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଛି । କୋରୋନା ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଦେଶରେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଏବେ ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି।

ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫% ଲୋକ ମେଡିକାଲ ଯାଉଥିଲେ । ଅଧିକାଂଶ ଲୋକ ବିନା ଲକ୍ଷଣଯୁକ୍ତ ରହୁଥିବା ବେଳେ ଗୁରୁତର ହେଉନାହାନ୍ତି । ଗତ ୪ ମାସ ହେବ ରାଜ୍ୟରେ ଆଉ ଡେଲଟାର ଉପସ୍ଥିତି ନାହିଁ । ମାତ୍ର ଲକ୍ଷଣ ଥିଲେ ପରୀକ୍ଷା କରି ପୃଥକବାସରେ ରହିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏବେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ସେ କହିଛନ୍ତି, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉଛି । ୧୮ରୁ ୫୯ ବର୍ଷଙ୍କୁ ୩ୟ ଡୋଜ ମାଗଣାରେ ଦିଆଯିବ କି ନାହିଁ କେନ୍ଦ୍ର ସ୍ଥିର କରୁ । ଦରକାର ପଡ଼ିଲେ ୩ୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ରକୁ କହିବୁ ।

ଭୁବନେଶ୍ୱର, କଟକ, ପୁରୀ, ରାଉରକେଲାରେ କରୋନା ସଂକ୍ରମଣ ବଢୁଛି । ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି ବୋଲି ସେ କହିଛନ୍ତି। ଆକ୍ଟିଭ କେସ୍ ୩୨୦୦ ପାଖାପାଖି ରହିଛି। ଏଥିସହ ସେ କହିଛନ୍ତି, ମାସେ ତଳେ ଦୈନିକ ୧୦ ହଜାର ଟେଷ୍ଟିଂ ହେଉଥିବା ବେଳେ ଏବେ ୧୫ ହଜାର ହେଉଛି । ରବିବାର ଓ ଛୁଟି ଦିନରେ ଟେଷ୍ଟିଂ କମ୍ ରହୁଛି । ତଥାପି ଏହାକୁ ୨୫ ହଜାର କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।