Odia News Portal

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ : ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତୀୟ ଦଳ

ମେଲବର୍ଣ୍ଣ : ଆଇସିସି ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳ ଆଜି ଆଉ ଏକ ଦମ୍‌ଦାର ବିଜୟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ତାର ବିଜୟଧାରା ବଜାୟ ରଖିଥିବା ଭାରତ ଆଜି ନ୍ୟୁଜିଲାଣ୍ଡକୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଗ୍ରୁପ୍‌ ‘ଏ’ରୁ ସେମିଫାଇନାଲ୍‌ରେ ପ୍ରବେଶ କରିଛି ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୮ ଓ୍ଵିକେଟ୍‌ରେ ୧୩୩ ରନ୍‌ ସ୍କୋର କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ଓ୍ଵିକେଟ୍‌ ହରାଇଥିଲେ ମଧ୍ୟ ୧୨୯ ରନ୍‌ କରି ପାରିଥିଲା । ଭାରତ ପକ୍ଷରୁ ଓପ୍ନର ଶେଫାଳି ବର୍ମା ସର୍ବାଧିକ ୪୬ ରନ୍‌ (୩୪ ବଲ୍‌, ୪ ଚୌକା ଓ ୩ ଛକା), ତାନିୟା ଭାଟିଆ ୨୩ ରନ୍‌ କରିଥିଲେ । ପରେ ଭାରତର ପାଞ୍ଚଜଣ ଯାକ ବୋଲର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରି ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ୧୨୯ ରନ୍‌ ଭିତରେ ସୀମିତ ରଖିଥିଲେ । ଶେଷ ବଲ୍‌ରେ ଜେନ୍‌ସେନ୍‌ଙ୍କୁ ରନ୍‌ ଆଉଟ୍‌ କରି ପାଣ୍ଡେ ଦଳକୁ ଚମତ୍କାର ବିଜୟ ଆଣି ଦେଇଥିଲେ । ଶେଫାଳିଙ୍କୁ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଛି ।