ବାତ୍ୟା ଅସାନୀ ଏବେ ପୁରୀ ଠାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୯୨୦ କି.ମି ଦୂରରେ ରହିଛି। ୧୦ ତାରିଖ ସନ୍ଧ୍ୟାରେ ବାତ୍ୟା ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ। ତେବେ ପୁରୀଠାରୁ ଏହା ପ୍ରାୟ ୯୦ କି.ମି ଦୂରରେ ଅତିକ୍ରମ କରିବ। କିନ୍ତୁ ସ୍ଥଳଭାଗ ଛୁଇଁବ ନାହିଁ। ସମୁଦ୍ର ମଧ୍ୟରେ ସମାନ୍ତଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହାଁ ହେବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।
ବାତ୍ୟା ଅତିକ୍ରମ କରିବା ବେଳେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୫୦ କି.ମି ପର୍ଯ୍ୟନ୍ତ ରହିବ। ବାତ୍ୟା ପ୍ରଭାବରେ ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୨ ତାରିଖରେ ପୁରୀ,ଜଗତସିଂହପୁର, କଟକ,କେନ୍ଦ୍ରାପଡା, ବାଲେଶ୍ଵର,ଭଦ୍ରକରେ ବର୍ଷା ହୋଇପାରେ ବୋଲି ଏସଆରସି କହିଛନ୍ତି।
ବାତ୍ୟା ପ୍ରଭାବରେ ବର୍ଷା ହେବ। କିନ୍ତୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନାହିଁ। ଆବଶ୍ୟକ ପଡିଲେ ତଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ତେବେ ଗଞ୍ଜାମ ଜିଲାରେ ୨ଟି, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ସାତପଡା, ପୁରୀ, ଅସ୍ତରଙ୍ଗ- କୋଣାର୍କରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ମୁତୟନ ହେବ। ଏହା ବ୍ୟତୀତ ଜଗସିଂହପୁର, କେନ୍ଦ୍ରାପଡା, ମହାକାଳପଡା ଓ ରାଜନଗରରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ରହିବେ। ସେହିପରି ବାଲେଶ୍ବରରେ ଥିବା ଗୋଟିଏ ଏନଡିଆରଏଫ ୟୁନିଟକୁ ମଧ୍ୟ ଆଲର୍ଟରେ ରଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
