Odia News Portal

ବରଫ ପାଲଟିଲା ଡାଲ୍‌ ହ୍ରଦ

ସମଗ୍ର ଉତ୍ତର ଭାରତ ସହ ଜମ୍ମୁ-କାଶ୍ମୀରରେ ପ୍ରବଳ ଶୀତ ଲହରି ଜାରି ରହିଛି। କାଶ୍ମୀରର ଏକାଧିକ ସ୍ଥାନରେ ରାତିର ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଆସିଥିବା ବେଳେ ପ୍ରସିଦ୍ଧ ଡାଲ୍ ହ୍ରଦର ପାଣି ବରଫରେ ପାଲଟି ଯାଇଛି। ଜମ୍ମୁ-କାଶ୍ମୀରର ଏକାଧିକ ସ୍ଥାନରେ ଘରକୁ ଜଳଯୋଗାଣ ପାଇଁ ଥିବା ପାଇପ ମଧ୍ୟରେ ପାଣି ଜମାଟ ବାନ୍ଧି ଯାଇଛି। ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪.୮ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ପହଲଗାଓଁରେ ବିଯୁକ୍ତ ୬.୭, ବାରମୂଲାରେ ବିଯୁକ୍ତ ୫.୯, କୁପୱାଡାରେ ବିଯୁକ୍ତ ୪.୮ ଡିଗ୍ରୀ, କ୍ବାଜିଗୁଣ୍ଡରେ ବିଯୁକ୍ତ ୩.୬, କୋକେରନାଗରେ ବିଯୁକ୍ତ ୨.୯ ଡିଗ୍ରୀ ରହିଛି। ସେହିପରି ଦିଲ୍ଲୀ-ଏନ୍‌ସିଆର, ପଶ୍ଚିମ ଉତ୍ତରପ୍ରଦେଶ ଆଦି ସ୍ଥାନରେ ପ୍ରବଳ ଶୀତ ଲହରି ପରିଲକ୍ଷିତ ହେଉଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୭ରୁ ୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଥିବା ବେଳେ ଘନ କୁହୁଡି ଯୋଗୁଁ ଯାନବାହାନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହେଉଛି। ଆଗାମୀ କିଛିଦିନ ପର‌୍ୟ୍ୟନ୍ତ ଏପରି ଅବସ୍ଥା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର-ପଶ୍ଚିମ ପଟୁ ବାୟୁ ପ୍ରବାହିତ ହେଉଥିବାରୁ ଅଧିକ ଶୀତ ଅନୁଭୂତ ହେଉଥିବା ବିଭାଗ ତରଫରୁ ଦର୍ଶାଯାଇଛି। ହରିୟାଣା, ପଞ୍ଜାବ, ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ ଆଦି କେତେକ ସ୍ଥାନ​‌େ​‌ର ତାପମାତ୍ରା ୭ରୁ ୮ ଡିଗ୍ରୀ ମଧ୍ୟରେ ରହୁଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।