Odia News Portal

ଭଡ଼ା ଘରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଡ଼ା ଘରୁ କିନ୍ନରଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ସହରର ରାମେଶ୍ଵର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ଚନ୍ଦ୍ରଶେଖରପୁର ଗାଁର ଅଙ୍କିତା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ଅଙ୍କିତା ଚିତ୍ତରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାଟକ ଗୃପ୍‌ରେ ରହି ଅଭିନୟ କରୁଥିଲେ। ଗତ କିଛି ଦିନ ତଳେ କୌଣସି କାରଣରୁ ଅଭିନୟ କରିବେ ନାହିଁ ନିଷ୍ପତ୍ତି ନେଇ ସେ ଘରକୁ ଚାଲିଆସିଥିଲେ । ହେଲେ ଚିତ୍ତରଞ୍ଜନ ତିନିଦିନ ତଳେ ଜୋରଜବରଦସ୍ତ ଅଙ୍କିତାଙ୍କୁ ଆଣି ରାମେଶ୍ଵର ସାହିରେ ରହୁଥିବା କିନ୍ନର ସଂଘର ସଭାପତି ଚୁମ୍‌କିଙ୍କ ଭଡାଘରେ ଛାଡିଥିଲେ । ଗତକାଲି ସନ୍ଧ୍ୟାରେ ଉଭୟ ଚୁମ୍‌କି ଏବଂ ଅଙ୍କିତା ଖାଇ ସାରିବା ପରେ ଅଙ୍କିତା ଦଶପଲ୍ଲା ଅଞ୍ଚଳକୁ ଚାଲିଯାଇଥିଲେ । ଆଜି ସକାଳୁ ଅଙ୍କିତା ଘର ଭିତରେ ଏକ ରଶିରେ ଝୁଲୁଥିବା ସାହିଲୋକ ଦେଖି ଚୁମ୍‌କିଙ୍କୁ ଖବର ଦେଇଥିଲେ ।

ଚିତ୍ତରଞ୍ଜନ ଏବଂ ଅଙ୍କିତାଙ୍କ ମଧ୍ୟରେ ଭଲପାଇବା ଥିଲା । ଏପରିକି ଗତ କିଛି ଦିନ ତଳେ ଏଥିପାଇଁ ଚିତ୍ତଙ୍କ ସ୍ତ୍ରୀ କୁଅକୁ ଡେଇଁ ପଡିଥିଲେ ବୋଲି ଚୁମ୍‌କି କହିଛି । ଏହାପରେ ଅଙ୍କିତା ଚିତ୍ତଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଚିତ୍ତ ଛାଡିନଥିଲା ବୋଲି ଚୁମକି ଅଭିଯୋଗ କରିଛି । ଆଜି ମଧ୍ୟ ଚିତ୍ତ ଅଙ୍କିତାଙ୍କ ଟଙ୍କା, ମୋବାଇଲ୍ ଏବଂ ପର୍ସ ନେଇ ଫେରାର୍ ହେବାକୁ ଚେଷ୍ଟା କରୁଥିବାବେଳେ ସେ ତାଙ୍କୁ ଧରିଥିବା ଚୁମକି କହିଛି । ଘରର ଉଚ୍ଚତା ବହୁତ୍ କମ୍ ରହିଛି ଏବଂ ଅଙ୍କିତାଙ୍କ ଗୋଡ ତଳେ ଲାଗିଥିବାରୁ ତାକୁ ଚିତ୍ତ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଚିତ୍ତରଞ୍ଜନକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।