ହିନ୍ଦୁ ଦମ୍ପତ୍ତିଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହେବ ଆହୁରି କଷ୍ଟକର । ଉଭୟଙ୍କ ସହମତି ପରେ ମଧ୍ୟ ମିଳିବନି ଛାଡପତ୍ର । ଷ୍ଟାମ୍ପ ପେପରରେ କୋର୍ଟ ବାହାରେ ହୋଇଥିବା ଛାଡପତ୍ର ଚୁକ୍ତିନାମାକୁ ମଞ୍ଜୁର କରିବେନି ମାନ୍ୟବର କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ବିବାହ ଉଚ୍ଛେଦ ହୋଇ ପାରିବନି ବୋଲି ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏବଂ ରାଜନୀଶ ଭଟନାଗରଙ୍କ ଏକ ବେଞ୍ଚ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ୧୦୦ ଟଭ୍କିଆ ଷ୍ଟାମ୍ପ ପେପରରେ ହୋଇଥିବା ଛାଡପତ୍ର ପ୍ରମାଣପତ୍ରର କୌଣସି ଗୁରୁତ୍ୱ ଏବଂ ଯଥାର୍ଥତା ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।
କୋର୍ଟ କହିଛନ୍ତି ଯେ, ପାରସ୍ପରିକ ସମ୍ମତି କ୍ରମେ ପ୍ରସ୍ତୁତ ଏହି ଛାଡପତ୍ର ଦଲିଲଗୁଡିକ ହିନ୍ଦୁ ବିବାହ ଅଧିନିୟମ ଅନୁସାରେ ଗ୍ରହଣ କରାଯିବ ନାହିଁ । ତେବେ ଗୁଜୁରାଟର ଏକ ମାମଲାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି ମାନ୍ୟବର ଅଦାଲତ । ଏହି ମାମଲାରେ ଦମ୍ପତ୍ତିଙ୍କ ତରଫରୁ ଓକିଲ କହିଥିଲେ ଯେ ଉଭୟଙ୍କ ସହମତି ପରେ ହିଁ ଛାଡପତ୍ର ଦଲିଲ ପ୍ରସ୍ତୁତ କରାଯାଇଛି । ତେବେ ୧୦୦ ଟଙ୍କା ଷ୍ଟାମ୍ପ ପେପରରେ ଏମାନେ ଛାଡପତ୍ର ନେଇଛନ୍ତି ବୋଲି ଯୁକ୍ତି ବାଢିଥିଲେ ଆଡଭୋକେଟ । ପରିବାର କୋର୍ଟର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ସିଧା ମନା କରି ଦେଇଛନ୍ତି ।
ଏଥିସହ ପାରିବାରିକ କୋର୍ଟର ନିଷ୍ପତ୍ତି ଅନୁଯାୟୀ ସ୍ୱାମୀଙ୍କୁ ପତ୍ନୀଙ୍କୁ ଗୁଜୁରାଣ ଭତ୍ତା ହିସାବରେ ମାସକୁ ୭,୦୦୦ ଟଙ୍କା ଦେବାକୁ ପରିବାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସେ ମାସକୁ ମାତ୍ର ୧୫,୦୦୦ ଟଙ୍କା ରୋଜଗାର କରୁଛନ୍ତି। ଏଭଳି ପରିସ୍ଥିତିରେ ସେ ନିଜ ପତ୍ନୀଙ୍କୁ ସାତ ହଜାର ଟଙ୍କା ଦେବାକୁ ଅସମର୍ଥ। ପାରିବାରିକ କୋର୍ଟରେ ଏହି ଯୁକ୍ତି ଦର୍ଶାଇ ପତ୍ନୀ ପ୍ରତି ମାସରେ ୫୦,୦୦୦ ଟଙ୍କା ଗୁଜୁରାଣ ଭତ୍ତା ଦାବି କରିଥିଲେ।