Odia News Portal

ଧାମନଗର ଏନଏସିର ୧୦ ନମ୍ବର ଓ୍ବାର୍ଡରେ ଇଭିଏମ୍ ମେସିନ ଅଚଳ, ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ

ଧାମନଗର ଏନଏସିର ୧୦ ନମ୍ବର ଓ୍ବାର୍ଡରେ ଇଭିଏମ୍ ମେସିନ ଅଚଳ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୫ ମିନିଟ ବେଳୁ ଏଠାରେ ଇଭିଏମ୍ ମେସିନ ଅଚଳ ହୋଇଥିବା କୁହାଯାଉଛି। ଏହି କାରଣରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏଠାକୁ ମେକାନିକ୍ ଆସୁଥିବାର ସୂଚନା ରହିଛି। ନଚେତ୍ ନୂତନ ମେସିନ୍ ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି। ପୂର୍ବରୁ ବି ଧାମନଗର ନିର୍ବାଚନ ମଣ୍ଡଳୀର ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ୧୫ ନଂ ବୁଥରେ ଇଭିଏମ୍ ମେସିନ ଅଚଳ ହୋଇପଡ଼ିଥିବାର ଖବର ମିଳିଥିଲା। ଆଜି ସକାଳୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ।

ଧାମନଗର ବିଧାନସଭା ଆସନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ସକାଳୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି। ଆଜିର ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟର ପରିଚୟପତ୍ର ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ ମଧ୍ୟ ଦେଖାଇ ଭୋଟ ଦେଇହେବ। ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୩୮ହଜାର ୩୫୦ ଭୋଟର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତିହିଡିର ୭୦ ବୁଥରେ ୬୮ ହଜାର ୫୦୬ ଜଣ ଭୋଟର ଭୋଟ ଦେବେ। ସେହିପରି ଧାମନଗର ବ୍ଲକର ୧୮୨ଟି ବୁଥରେ ମୋଟ ୧ ଲକ୍ଷ ୭୯ ହଜାର ୮୩୮ ଜଣ ଭୋଟର ଭୋଟ ଦେବେ। ଆଜି ମୋଟ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର ଭୋଟ ଦେବାକୁ ଥିବା ବେଳେ ୧ ଲକ୍ଷ ୧୫ ହଜାର ୩୧୪ ଜଣ ଭୋଟର ମତଦାନ କରିବେ।