Odia News Portal

ମୋଦିଙ୍କ ଅପିଲ ସତ୍ୱେ ଭୋଟ ଦେଇପାରିବେନି ବିରାଟ : କାହିଁକି ଆସନ୍ତୁ ଜାଣିବା ….

ଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିଭିନ୍ନ କ୍ଷେତ୍ରର ବଡ ବଡ ନେତା, ଅଭିନେତା, ଖେଳାଳୀ ଆଦିଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ | ୧୩୦ କୋଟି ଭାରତୀୟଙ୍କୁ ଭୋଟ ଦେବା ପାଇଁ ଏହି ନେତା ଅଭିନେତା ପ୍ରେରଣା ଯୋଗେଇବେ ବୋଲି ମୋଦି ନିଜ ଟ୍ୱିଟର ପେଜ ଜରିଆରେ ଅପିଲ କରିଥିଲେ | ନେତା, ଅଭିନେତା, ଖେଳାଳୀଙ୍କୁ ଟ୍ୟାଗ କରିଥିଲେ ମୋଦି | ଏମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ଥିଲେ ଯାହାକୁ ମୋଦି ଟ୍ୟାଗ କରିଥିଲେ | ବିରାଟ କୋହଲି ଲୋକସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି ଆଶଙ୍କା କରାଯାଉଛି |
ବିରାଟ କୋହଲି ମୁମ୍ବାଇରେ ଭୋଟ ଦେବା ପାଇଁ ଚାହୁଁଛନ୍ତି | କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମୁମ୍ବାଇରୁ ଭୋଟ ଦିଅନ୍ତି | ବିରାଟ କୋହଲି ଅନଲାଇନ ପ୍ରକ୍ରିୟା ଜରିଆରେ ଭୋଟ ଦେବା ପାଇଁ ଆବେଦନ କରିଛନ୍ତି | କିନ୍ତୁ କୋହଲି ଆବେଦନ ବହୁତ ବିଳମ୍ବରେ କରିଛନ୍ତି | ଭୋଟର ତାଲିକାରେ ଯେଉଁମାନଙ୍କ ନାଁ ନାହିଁ, ସେମାନଙ୍କ ପାଇଁ ଆବେଦନର ଶେଷ ତାରିଖ ଥିଲା ମାର୍ଚ୍ଚ ୩୦ ତାରିଖ | କିନ୍ତୁ ବିରାଟ କୋହଲି ଏପ୍ରିଲ ୭ ତାରିଖରେ ଆବେଦନ କରିଛନ୍ତି | ସେଥିପାଇଁ ବିରାଟ ଅନଲାଇନ ଭୋଟିଂ ଦେଇନପାରନ୍ତି ବୋଲି ଆଶଙ୍କା କରାଯାଉଛି |
ନିର୍ବାଚନ ଆୟୋଗ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିରାଟ କୋହଲିଙ୍କ ଆବେଦନ ପ୍ରାପ୍ତ ହୋଇସାରିଛି | ସେ ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେଇପାରିବେ ନାହିଁ | କାରଣ ସେ ବହୁତ ବିଳମ୍ବରେ ଆବେଦନ କରିଛନ୍ତି | ସେଥିପାଇଁ ତାଙ୍କ ଆବେଦନକୁ ହୋଲ୍ଡରେ ରଖାଯାଇଛି | ଆସନ୍ତା ନିର୍ବାଚନ ପାଇଁ ତାଙ୍କ ଆବେଦନ ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି |