Odia News Portal

ଚତୁର୍ଥ ପର୍ଯ୍ୟାୟ ଭୋଟ୍ : ନେତା, ରାଜନେତାଙ୍କ ସହ ସେଲିବ୍ରିଟି ମଧ୍ୟ ଦେଲେ ଭୋଟ, ଆସନ୍ତୁ ଦେଖିବା କିଛି ଝଲକ

ନୂଆଦିଲ୍ଲୀ  : ଚତୁର୍ଥ ପର୍ଯ୍ୟାୟ ପାଇଁ ୯ଟି ରାଜ୍ୟର ମୋଟ୍ ୭୨ ଟି ଲୋକସଭା ଆସନ ପାଇଁ ପଡିଛି ଭୋଟ୍ । କଡା ସୁରକ୍ଷା ମଧ୍ୟରେ ଭୋଟିଂ ହୋଇଥିଲେ ବି ଏଥର ପାଖାପାଖି ୩ଶହ ଇଭିଏମ୍ରେ ତ୍ରୁଟି କାରଣରୁ ମତଦାନ ବିଳମ୍ବରେ ହୋଇଥିଲା । ଅମିତାଭ, ଅମିର ଖାନ, ସଲମାନ୍ ଖାନ୍, ହେମା ମାଳିନୀଙ୍କ ଭଳି ବଲିଉଡ୍ ସେଲିବ୍ରିଟି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ବାବୁଲ ସୁପ୍ରିୟୋ, କହ୍ନେୟା କୁମାର, ଡିମ୍ବଲ ଯାଦବ, ଉର୍ମିଳା ମାତୋଣ୍ଡକରଙ୍କ ଭଳି ନେତାଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ଏହି ପର୍ଯ୍ୟାୟ ନିର୍ବାଚନରେ ବି ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି

ସରିଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ଏହି ପର୍ଯ୍ୟାୟରେ ୯ ରାଜ୍ୟର ୭୨ଟି ଲୋକସଭା ଆସନ ପାଇଁ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ସକାଳ ୭ଟାରୁ ବିଭିନ୍ନ ବୁଥ୍ରେ ମତଦାନ ପାଇଁ ଭିଡ ଲାଗିଥିଲା । ମହାରାଷ୍ଟ୍ରର ୬ଟି ବୁଥ୍ରେ ଭୋଟ ବେଳେ ମୁମ୍ବାଇର ବହୁ ବଲିଉଡ୍ ସେଲିବ୍ରିଟ୍ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ଅମିତାଭ୍ ବଚନ ତାଙ୍କ ପରିବାର ସହ ପହଞ୍ଚିଥିଲେ ବୁଥ୍ରେ । ପତ୍ନୀ ଜୟା ବଚନ, ଅଭିଷେକ ବଚନ, ବୋହୁ ଐଶ୍ବର୍ଯ୍ୟା ରାୟ ବଚନଙ୍କ ସହ ମତଦାନ କରିଥିଲେ । ସେହିଭଳି ପତ୍ନୀ କିରଣ ରାଓଙ୍କ ସହ ମତଦାନ କରିଥିଲେ ଅମିର୍ ଖାନ୍ ।

ହେମା ମାଳିନୀ ୨ ଝିଅଙ୍କ ସହ ଭୋଟ୍ ଦେଇଥିବା ବେଳେ ସଲମାନ୍ ଖାନ ବି ମତଦାନ କରିଥିଲେ । ଅନ୍ୟ ସେଲିବ୍ରିଟିଙ୍କ ଭିତରେ ଅଜୟଦେବଗନ୍, କାଜଲ, କରୀନା କାପୁର, କଙ୍ଗନା ରନାୱତ୍, ହ୍ରିତିକ୍ ରୋସନ୍, ପରେଶ ରାଓଲ ପ୍ରମୁଖ ଭୋଟ ଦେଇଛନ୍ତି । ସେହିଭଳି ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ପରିବାର ସହ ଆସି ମତାଧିକାର ସାବ୍ୟସ୍ତ କରିଥିଲେ ।

ସେଲିବ୍ରିଟିଙ୍କ ବ୍ୟତିତ ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍ ପ୍ରମୁଖ ଭୋଟ ଦେଇଥିଲେ । ଏହି ପର୍ଯ୍ୟାୟ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ବାବୁଲ ସୁପ୍ରିମୋ, ଗଜେନ୍ଦ୍ର ସିଂ ଶେଖାୱତ୍, ପି.ସି. ଚୌଧାରୀ, ଡ. ସୁଭାଷ ଭାମ୍ରେ, ସୁଦର୍ଶନ ଭଗତ, କଂଗ୍ରେସ ପ୍ରାର୍ଥୀ ପ୍ରିୟା ଦତ୍ତ, ଉର୍ମିଳା ମାତଣ୍ଡୋକର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ, ସିପିଆଇ ନେତା କହ୍ନେୟା କୁମାରଙ୍କ ଭଳି ହେଭିୱେଟ୍ଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି ।ତେବେ ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ପାଖାପାଖି ୩୦୦ ଇଭିଏମ୍ରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା । ଫଳରେ ଏଠାରେ ଡେରିରେ ମତଦାନ ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନର ଭୋଟିଂ ହୋଇପାରିନାହିଁ ।

ସେପଟେ ପଶ୍ଚିମବଙ୍ଗର ଆସନସୋଲ୍ରେ ନିର୍ବାଚନ ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏଠାରେ ବିଜେପି ଓ ଟିଏମ୍ସି କର୍ମୀ ପରସ୍ପର ଉପରେ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଥିଲେ । ନିୟନ୍ତ୍ରଣ ପାଇଁ ସୁରକ୍ଷା କର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡିଥିଲା । ଟିଏମ୍ସି କର୍ମୀ ବୁଥ୍ରେ ପସି ରିଗିଂ କରିଥିବା ଅଭିଯୋଗ ଆଣିଛି ବିଜେପି । ସେହିଭଳି ଏଠାର ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କ କାର ଉପରେ ଆକ୍ରମଣ ହୋଇଛି । ପରସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ଓ ଟିଏମ୍ସି ଉଭୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଚତୁର୍ଥ ପର୍ଯ୍ୟାୟ ମତଦାନ ସହ ଲୋକସଭା ପାଇଁ ୫୪୩ ଆସନରୁ ୩୦୩ ଆସନରେ ଭୋଟ୍ ଗ୍ରହଣ ସରିଛି। ପ୍ରଥମ ପର୍ଯ୍ୟାୟରେ ୯୧, ଦ୍ବିତୀୟ ପର୍ଯ୍ୟାୟରେ ୯୫ ଏବଂ ତୃତୀୟ ପର୍ଯ୍ୟାୟରେ ୧୧୭ ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ପଞ୍ଚମ ପର୍ଯ୍ୟାୟ ମତଦାନ ମେ’ ୬ ତାରିଖରେ ଅନୁଷ୍ଠିତ ହେବ।