Odia News Portal

ଡବଲ୍ ଏନକାଉଣ୍ଟରରେ ୭ ଆତଙ୍କୀ ସଫା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ତ୍ରାଲ ଓ ଶୋପିଆନରେ ଘଟିଥିବା ପୃଥକ ପୃଥକ ଏନକାଉଣ୍ଟରରେ ୭ ଜଣ ଯାକ ଆତଙ୍କୀ ନିହତ ହୋଇଛନ୍ତି। ତ୍ରାଲର ନୌବୁଗା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରି ପୂରା ଅଞ୍ଚଳକୁ କର୍ଡନ କରିଥିଲେ। ଏହି ନିହତ ଆତଙ୍କବାଦୀଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଗୁଳିରେ ପ୍ରାଣ ହରାଇଥିବା ବୁରହାନ ୱାନିର ସମ୍ପର୍କୀୟ ଭାଇ ମଧ୍ୟ ରହିଛି। ଏବେ ବି ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ସ୍ଥିତିକୁ ଦେଖି ଉପତ୍ୟକାର କିଛି ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ତେବେ ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲି ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ଶବକୁ ଜବତ କରାଯାଇ ସାରିଛି। ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କୀ ଲୁଚି ରହିଥିବାରୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ମୃତ ଦୁଇ ଆତଙ୍କୀଙ୍କ ମଧ୍ୟରେ ଏଜିଏଚ୍‌ର କମାଣ୍ଡର ହମତୟାୟ ଶାହ ରହିଛି।
ଅନ୍ୟପକ୍ଷରେ ଗୁରୁବାର ଠାରୁ ଶୋପିଆନ୍‌ରେ ଚାଲିଥିବା ଅପରେସନ୍‌ ବେଳେ ଆଉ ୨ ଜଣ ଆତଙ୍କୀଙ୍କ ମୃତଦେହ ମିଳିଛି। କାଲି ସନ୍ଧ୍ୟା ସୁଦ୍ଧା ଏଠାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥଲେ। ଏହାର ଅର୍ଥ ଶୋପିଆନ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ହୋଇଛନ୍ତି। ଏହି ନିହତ ୫ ଆତଙ୍କବାଦୀଙ୍କ ମଧ୍ୟରେ ବୁରହାନ ୱାନିର ଭାଇ ରହିଛି। ଗତକାଲି ୩ ଜଣ ଆତଙ୍କୀ ନିହତ ହେବା ପରେ ୨ ଜଣ ସ୍ଥାନୀୟ ଅଞ୍ଚଳରେ ଲୁଚି ଯାଇଥିଲେ।
ଏହି ଦୁଇ ଜୀବନ୍ତ ଆତଙ୍କୀଙ୍କ ମଧ୍ୟରେ ବୁରହାନ ୱାନିର ଭାଇ ଇମାମ ମଧ୍ୟ ଥିଲା। ତା’କୁ ଆଜି ସକାଳୁ ସୁରକ୍ଷାକର୍ମୀମାନେ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ସେ ତା’ର ଆଉ ଜଣେ ସହଯୋଗୀ ସହ ମିଶି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଏହାର ପାଲଟା ଜବାବରେ ଇମାମ ଓ ତା’ର ସହଯୋଗୀ ନିହତ ହୋଇଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି।

s