Odia News Portal

ରାଜ୍ୟରେ ଇକୋ-ଟୁରିଜିମ୍‌ର ଅପୂର୍ବ ସଫଳତା

*ଓଡ଼ିଶା ମଡେଲ୍‌ ଏକ ଉତ୍ତମ ମଡେଲ୍‌ ଭାବେ ପ୍ରାମାଣିତ।*ଇକୋଟୁରିଜିମ୍‌ ଏବଂ ନୌକାବିହାର ନିମନ୍ତେ ଅଧିକ ସ୍ଥାନ ଚିହ୍ନଟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।
*ଏସବୁ ସ୍ଥାନରେ ଅଗ୍ନିନିରାପତ୍ତା ସାବଧାନତା ଉପରେ ଗୁରୁତ୍ୱ ।

ଭୁବନେଶ୍ବର: ରାଜ୍ୟରେ ଇକୋ-ଟୁରିଜିମ୍‌ ଅପୂର୍ବ ସଫଳତା ହାସଲ କରିଛି ।୨୦୧୬ ମସିହାରୁ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ତଥା ତତ୍‌କାଳୀନ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଆରମ୍ଭ କରାଯାଇଥିବା ‘ସ୍ଥାନୀୟ ଲୋକଙ୍କ ସକ୍ରିୟ ଭାଗିଦାରିତା’ (କମ୍ୟୁନିଟି ମ୍ୟାନେଜ୍‌ମେଣ୍ଟ୍‌) ପରିଚାଳନା ବ୍ୟବସ୍ଥା ଏକ ଉତ୍ତମ ମଡେଲ ଭାବେ ପ୍ରମାଣିତ ହୋଇଛି ।

ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକର ସମୀକ୍ଷାରୁ ଏହା ଜଣାପଡ଼ିଛି।ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ରାଜ୍ୟରେ ପ୍ରକୃତି ପର୍ଯ୍ୟଟନର ନୂଆ ଦିଗ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଉପଯୁକ୍ତ ସମ୍ଭାବନା ଥିବା ଅଧିକ ସ୍ଥାନ ପ୍ରକୃତି ପର୍ଯ୍ୟଟନ ନିମନ୍ତେ ଚିହ୍ନଟ କରିବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟର ବିଭିନ୍ନ ନଦୀ ଅବବାହିକା ଏବଂ ବଡ଼ବଡ଼ ଜଳାଶୟ ମାନଙ୍କରେ ପାଖାପାଖି ୧୦୦ଟି ନୌକାବିହାର ଅଂଚଳ ଚିହ୍ନଟକରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ମିଳିତ କ୍ଷେତ୍ର ସ୍ତରୀୟ ଅନୁଧ୍ୟାନ ମାଧ୍ୟମରେ ଜେଟ୍ଟି ନିର୍ମାଣ ଓ ନୌକାବିହାର ସ୍ଥାନ ନିର୍ଣ୍ଣୟ ପାଇଁ ଜଳସଂପଦ ଓ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଥିଲା ।ଜଙ୍ଗଲ ସଫାରୀ ନିମନ୍ତେ ଅତି କମ୍‌ରେ ୧୫ଟି ନୂଆ ଟ୍ରାକ୍‌ ଚିହ୍ନଟ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ପର୍ଯ୍ୟଟନ କେନ୍ଦ୍ରକୁ ସ୍ଥାନୀୟ ବନ ସଂରକ୍ଷଣ ସମିତି, ସ୍ୱୟଂ  ସହାୟକ ଗୋଷ୍ଠୀ ଏବଂ ଗ୍ରାମ ସମୁଦାୟ ମାଧ୍ୟମରେ ପରିଚାଳନା  କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥଲେ ।ତାଲିମ୍‌ ଏବଂ ଅନୁପ୍ରେରଣା ଶିବିର ମାଧ୍ୟମରେ ସେମାନଙ୍କର ବୃତ୍ତିଗତ ଦକ୍ଷତା ଅଧିକ ବଢାଇବା ପାଇଁ ମଧ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଶର୍ମା ଜଣାଇଥିଲେ ଯେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମରାଜ୍ୟ ଯେକି ଇକୋ-ଟୁରିଜିମ୍‌ର କମ୍ୟୁନିଟି ମ୍ୟାନେଜ୍‌ମେଣ୍ଟ୍‌ ମଡେଲ୍‌କୁ ସଫଳତାର ସହ ପ୍ରୟୋଗ କରିଛି ।

ପ୍ରଧାନ ବଣ୍ୟଜନ୍ତୁ ବନସଂରକ୍ଷକ ଶ୍ରୀ ଶଶି ପଲ ଜଣାଇଥିଲେ ଯେ  ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୭ଟି ଇକୋ-ଟୁରିଜିମ୍‌ ସ୍ଥାନ କରାଯାଇଛି ।ମୟୁରଭଞ୍ଜ, ସୁନ୍ଦରଗଡ଼, ମାଲ୍‌କାନଗିରି, କନ୍ଧମାଳ, ବରଗଡ଼, ନୟାଗଡ଼ ଆଦି ଜିଲ୍ଲା ୧୮ ଟି ଜିଲ୍ଲାରେ ଏହି ସବୁ ପର୍ଯ୍ୟଟନ ସ୍ଥାନ ବେଶ ଲୋକପ୍ରିୟ ହୋଇଛି । ଏହିସବୁ ସ୍ଥାନରେ ରାତ୍ରୀ-ରହଣୀ ନିମନ୍ତେ ୩୩୩ଟି କଟେଜ୍‌ କାର୍ଯ୍ୟକରୁଛି

ଏକ ସମୟରେ ଏହିସବୁ କଟେଜ୍‌ରେ ୭୦୫ ଲୋକ ରହିପାରିବେ।ବର୍ତ୍ତମାନ ବରଗଡ଼ର ନୃସିଂହନାଥ, କୋରାପୁଟର ପାଇନ୍‌ ଜଙ୍ଗଲ, ବାଲେଶ୍ୱରର ଚାନ୍ଦିପୁର, ନୂଆପଡ଼ାର ପତୋରା ଡ଼୍ୟାମ୍‌ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟେନ୍‌ସାରେ ନୁଆ ଇକୋ-ଟୁରିଜିମ୍‌ ସ୍ଥଳୀର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି ।ଖୁବ୍‌ ଶିଘ୍ର ଏହି କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ।ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଇକୋ-ଟୁରିଜିମ୍‌ କେନ୍ଦ୍ରଗୁଡ଼ିକୁ ୨୦୧୬ ମସିହାଠାରୁ କ୍ରମାଗତଭାବେ ପର୍ଯ୍ୟଟକମାନଙ୍କର ଆଗମନ ବଢ଼ିଛି । 

୧୦୧୬ ମସିହାରେ ୧୧,୫୦୦ ପର୍ଯ୍ୟଟକ ରାତ୍ରିରହଣୀ  କରିଥିବାବେଳେ ୨୦୧୯-୨୦ ମସିହା ବେଳକୁ ଏହା ୪,୦୧୯ରେ  ପହଞ୍ଚିଥିଲା।କୋଭିଡ୍‌-୧୯ ଦ୍ୱାରା ସୃଷ୍ଟିହୋଇଥିବା ବହୁ ଅସୁବିଧା ସତ୍ତ୍ୱେ ୨୦୨୦-୨୧ ମସିହାର ୫ମାସ(ନଭେମ୍ବର, ୨୦୨୦ ରୁ ମାର୍ଚ୍ଚ, ୨୦୨୧) ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୫୭,୦୦୦ କୁ ବୃଦ୍ଧିପାଇଛି । ଅନୂରୂପ ଭାବେ ଏହି ସମୟ ମଧ୍ୟରେ ଇକୋଟୁରିଜିମ୍‌ ରୁ ସଂଗ୍ରହ ହେଇଥିବା ରାଜସ୍ୱ ମଧ୍ୟ ୧.୫୭ କୋଟି ରୁ ୮.୩୨ କୋଟି ଟଙ୍କାକୁ  ବୃଦ୍ଧି ପାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପର୍ଯ୍ୟଟନ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ୍‌ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ୍‌ ରାମଚନ୍ଦ୍ର ଯାଦବ, ପ୍ରଧାନ ବନ ସଂରକ୍ଷକ ଶ୍ରୀ ଶଶି ପଲ୍‌ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।