ବିହାର: ବିହାର ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଗଙ୍ଗା ନଦୀର ବକ୍ସର ଏବଂ ଗାଜୀପୁର ନିକଟରୁ ୧୦୦ରୁ ଅଧିକ ଶବ ମିଳିବା ପରେ ଏହି ଶବ ଗୁଡ଼ିକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ | ଏହି ମାମଲା ବହୁ ଧ୍ୟାନ ଆକର୍ଷଣ କରିଛି । ଏହା ବ୍ୟତୀତ ପାଟନା ହାଇକୋର୍ଟ ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ତତ୍ପରତା ଦେଖାଇଛନ୍ତି।

ତେବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏହି ପ୍ରସଙ୍ଗରେ ସରକାରଙ୍କୁ ଡାଇରେକ୍ଟ ଟାର୍ଗେଟ୍ କରିଛନ୍ତି। ଲାଲୁ ଟୁଇଟ୍ ଜରିଆରେ କହିଛନ୍ତି ଯେ, ଜୀବିତ ଥିବାବେଳେ ଏହି ମୃତଦେହ ଗୁଡ଼ିକୁ ସଠିକ ଚିକିତ୍ସା ମିଳିପାରି ନାହିଁ ଏବଂ ମୃତ୍ୟୁ ପରେ ହିନ୍ଦୁମାନଙ୍କ ମୃତଦେହକୁ କବର ଦିଆଯାଉଛି। ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ଯେଉଁମାନେ ଅମ୍ଳଜାନ ଶଯ୍ୟା, ଔଷଧ ଏବଂ ଚିକିତ୍ସା ପାଇ ପାରି ନାହାଁନ୍ତି, ସେମାନେ ମୃତ୍ୟୁ ପରେ କାଠ ଓ କଫନ ମଧ୍ୟ ପାଇପାରିବେ ନାହିଁ। ମୃତଦେହ ଗୁଡ଼ିକ ଲୁଚାଇବା ପାଇଁ ଗଙ୍ଗାକୁ ଫିଙ୍ଗି ଦିଆଯାଇଥିଲା। ଆଉ ତାଙ୍କ ଶରୀରକୁ କୁକୁର ଟାଣି ଓଟାରି ଖାଉଛନ୍ତି ।
ଗଙ୍ଗା ନଦୀ ଉତ୍ତରପ୍ରଦେଶର ଗାଜିପୁର ଏବଂ ବାଲିଆ ଜିଲ୍ଲାକୁ ବିହାରର ବକ୍ସର ଜିଲ୍ଲା ଠାରୁ ଅଲଗା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ତିନୋଟି ଜିଲ୍ଲା ମଧ୍ୟରେ ଥିବା ଗଙ୍ଗା ନଦୀରେ ୧୦୦ ରୁ ଅଧିକ ମୃତ ଦେହ ମିଳିଥିବା ସମୟରେ ମୃତଦେହ ଗୁଡ଼ିକୁ ସ୍ଥାନୀୟ ପ୍ରଶାସନ ଦ୍ବାରା ଗଙ୍ଗାରୁ ହଟାଇ ଦିଆଯାଇଛି। ବକ୍ସର ଜିଲ୍ଲା ପ୍ରଶାସନ ଏବଂ ବିହାର ସରକାର ଦାବି କରିଛନ୍ତି ଯେ ଏହି ସମସ୍ତ ଶବ ଗୁଡ଼ିକ ଉତ୍ତରପ୍ରଦେଶରୁ ବିହାରକୁ ଭାସି ଆସିଛନ୍ତି।

ଏକାସାଙ୍ଗରେ ଏତେ ସଂଖ୍ୟକ ମୃତଦେହ ଦେଖିବା ପରେ ସ୍ଥାନୀୟ ପ୍ରଶାସନ ଜେସିବିରୁ ଗାତ ଖୋଳି ସମସ୍ତ ଶବକୁ ପୋତି ଦେଇଥିଲା। ଏହାପୂର୍ବରୁ ପୋଷ୍ଟମର୍ଟମ ପାଇଁ ଅନେକ ମୃତ ଦେହରୁ ନମୁନା ସଂଗ୍ରହ କରାଯାଇଥିଲା। ପ୍ରଶାସନର ଅନୁରୋଧ କ୍ରମେ ବକ୍ସର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଅନେକ ଶବର ପୋଷ୍ଟମର୍ଟମ କରିଥିଲା।