ନୂଆଦିଲ୍ଲୀ : ଶତାବ୍ଦୀ ଏକ୍ସପ୍ରେସ୍ରେ ନିଆଁ । ନୂଆଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ଯାତ୍ରୀବାହୀ ଏକ କୋଚ୍ରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଟ୍ରେନ୍କୁ କଂସରୋ ରେଳ ଷ୍ଟେସନ୍ରେ ଅଟକାଇ ଯାଇପାରିଥିଲା । ଏହା ପରେ ରାଜାଜୀ ଟାଇଗର୍ ରିଜର୍ଭର ଅଧିକାରୀ ଏବଂ ରେଳ ଅଧିକାରୀଙ୍କୁ ଏନେଇ ସୂଚନା ଦିଆଯାଇଥିଲା ।
ଲୋକୋ ପାଇଲଟ୍ ଆପତଃକାଳୀନ ବ୍ରେକ୍ ଲଗାଇ ଜଙ୍ଗଲରେ ହିଁ ଟ୍ରେନ୍କୁ ଅଟକାଇ ଦେଇଥିଲେ । ତତ୍କାଳ କୋଚ୍ ସି-୫କୁ ଯଥା ଶିଘ୍ର ଖାଲି କରାଯାଇଥିଲା । ଏଥିସହିତ ନିଆଁ ଲାଗିଥିବା କୋଚ୍କୁ ଅନ୍ୟ କୋଚ୍ ଗୁଡ଼ିକ ଠାରୁ ଅଲଗା କରାଯାଇ ସୁରକ୍ଷିତ ରଖାଯାଇଥିଲା । ଏହି କୋଚ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଯାତ୍ରୀମାନଙ୍କୁ ଅନ୍ୟ ଏକ କୋଚ୍କୁ ସ୍ଥାନାନ୍ତର କରାଯାଇଛି । ଯାହା ପରେ ଟ୍ରେନ୍ଟି ଡେରାଡୁନ୍ ଯିବା ପାଇଁ ବାହାରିଥିଲା ।
ରାଜାଜୀ ଟାଇଗର ରିଜର୍ଭ ଅଞ୍ଚଳରେ ନିଆଁ ଲାଗିଥିବାରୁ ମୋବାଇଲ୍ ନେଟ୍ୱାର୍କ ସେବା ଉପଲବ୍ଧ ହୋଇନଥିଲା । ଯେଉଁ କାରଣରୁ ଘଟଣା ବିଷୟରେ ସୂଚନା ଦେବାପାଇଁ ସମୟ ଲାଗିଥିଲା । କୁହାଯାଉଛି ଯେ, ବଗିରେ ୩୦ରୁ ଅଧିକ ଯାତ୍ରୀ ରହିଥିଲେ । ଏହି ଘଟଣା ଶନିବାର ୧୨.୨୦ ମିନିଟ୍ ପାଖାପାଖି ଘଟିଥିବା ଜଣାପଡ଼ିଛି ।