Odia News Portal

କରୋନା : ଫ୍ରେଞ୍ଚ ଓପନ୍ ସପ୍ତାହେ ବିଳମ୍ବ

ପ୍ୟାରିସ୍ : କରୋନା ଭାଇରସ୍ ମହାମାରୀ ହେତୁ ଫ୍ରେଞ୍ଚ ଓପନ୍ ଟେନିସ୍ ଟୁର୍ନାମେଣ୍ଟ ଏକ ସପ୍ତାହ ବିଳମ୍ବ ହେବ ବୋଲି ଆୟୋଜକମାନେ କହିଛନ୍ତି। କ୍ଳେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମେ 23 ରେ ଆରମ୍ଭ ହେବାକୁ ଯାଉଥିଲା, କିନ୍ତୁ ମେ 30 ରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଆରମ୍ଭ ହେବ । ଏହା ଜୁନ ୧୩ ଯାଏଁ ଖେଳାଯିବ । ଯେପରି ଅଧିକରୁ ଅଧିକ ଦର୍ଶକ ଏହାକୁ ଦେଖିପାରିବେ ତାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ଗତବର୍ଷ କରୋନା ଭାଇରସ କାରଣରୁ ଫ୍ରେଞ୍ଚ୍ ଓପନ୍ ୪ ମାସ ବିଳମ୍ବରେ ଆୟୋଜିତ ହୋଇଥିଲା । ସେତେବେଳେ ମେ-ଜୁନ ବଦଳରେ ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜିତ ହୋଇଥିଲା । ଏହି ସମୟରେ ପ୍ରତିଦିନ କେବଳ ଏକ ହଜାର ଦର୍ଶକଙ୍କୁ ଅନୁମଚି ଦିଆଯାଇଥିଲା ।

ଫ୍ରାନ୍ସ କ୍ରୀଡାମନ୍ତ୍ରୀ ରୋକ୍ସନା ମାରାସିନିୟୁ କରୋନା ଭାଇରସ ମାମଲା ବୃଦ୍ଧି ପାଉଥିବାରୁ ଏହି ଟୁର୍ଣ୍ଣାମେଣ୍ଟକୁ କିଛି ଦିନ ଯାଏଁ ସ୍ଥଗିତ ରଖିବାକୁ କହିଥିଲେ । ଏହାପରେ ଦେଶର ଟେନିସ୍ ଖେଳାଳି ଏଲିଜ୍ କାଣ୍ଟେଟ୍ ଫ୍ରାନ୍ସ କ୍ରୀଡାମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଥିଲେ ।

କାଣ୍ଟେଟ୍ କହିଥିଲେ ଯେ, ଏହା ତାଙ୍କର ଆଭ୍ୟନ୍ତରୀଣ ମାମଲା । କିନ୍ତୁ କ୍ରୀଡାମନ୍ତ୍ରୀ ନିଜେ ଏକ ବିପଦ ସହ ସମାନ । ତାଙ୍କୁ କହିବାକୁ ଆଉ କିଛି ବାକି ନାହିଁ । ସେ ଖେଳ ବାବଦରେ ଭୁଲ ନିଷ୍ପତ୍ତି ନିଅନ୍ତି । ଏହା ପଛରେ ସରକାରଙ୍କ ସହମତି ମଧ୍ୟ ରହିଛି । ଗୋଟିଏ ସପ୍ତାହ ପାଇଁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେଲେ ଅଧିକରୁ ଅଧିକ ଦର୍ଶକ ଆସିବେ ବୋଲି କୁହାଯାଉଛି । ଏହାସତ୍ତ୍ୱେ ଏହି ନିଷ୍ପତ୍ତି ବ୍ୟକ୍ତିଗତ ସ୍ୱାର୍ଥ୍ୟ ଦୃଷ୍ଟିରୁ ନିଆଯାଇଛି । ଏପରି କରିବା ଦ୍ୱାରା କ୍ୟାଲେଣ୍ଡର ବର୍ଷ ପ୍ରଭାବିତ ହେବ ।

ଗତ ବୁଧବାର ଫ୍ରାନ୍ସରେ କରୋନା କଟକଣାକୁ କଡାକଡି କରାଯାଇଥିଲା । ଏବେ ସମସ୍ତ ଖେଳ ବନ୍ଦ କୋଠରୀରେ ଖେଳାଯାଉଛି । ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ୍ ମେ ୧୫ ବେଳକୁ ସିନେମା ହଲ୍, ସଂଗ୍ରହାଳୟ, ଥିଏଟର୍ ଆଦି ଖୋଲିବାକୁ ମନସ୍ଥ କରିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ପୁରୁଷ ବର୍ଗରେ ସ୍ପେନର ରାଫେଲ ନାଡାଲ ୧୩ମ ଥର ଫ୍ରେଞ୍ଚ୍ ଓପନ ଜିତିଥିଲେ । ସେହିପରି ମହିଳା ବର୍ଗରେ ପୋଲାଣ୍ଡର ଇଗା ସ୍ୱିଟାତେକ୍ ଚାମ୍ପିଅନ ହୋଇଥିଲେ ।