ପଙ୍କରୁ ବାହାରୁଛି ସୁନା। ବିଶ୍ୱାସ ହେଉ ନଥିଲେ ବି କଥାଟି ପୂରାପୂରି ସତ। ଥାଇଲାଣ୍ଡରେ ଏକ ଏଭଳି ନଦୀ ରହିଛି, ଯାହା ଭିତରୁ ବାହାରୁଛି ମୂଲ୍ୟବାନ୍ ସୁନା। ଏହି ନଦୀର ଏକ ଅଂଶରେ ଥିବା କାଦୁଅରୁ ଏହି ଅମୂଲ୍ୟ ଜିନିଷ ବାହାରୁଛି। ନଦୀର କାଦୁଅରୁ ସୁନା ବାହାରୁଥିବାରୁ ସ୍ଥାନୀୟ ଲୋକେ ଏହାକୁ ଛାଣି ଛାଣି ଘରକୁ ସୁନା ବୋହି ନେଇ ଯାଇଥାନ୍ତି। ଲୋକମାନେ ଏଠାକୁ ସକାଳୁ ସକାଳୁ ଆସି ବ୍ୟାଗ୍ରେ ସୁନା ଭରି ନେଇ ଯାଇଥାନ୍ତି। ଏଠାକାର ଲୋକଙ୍କର କାମ ହିଁ ଏଇୟା।
ଥାଇଲାଣ୍ଡର ଏହି ନଦୀକୁ ଗୋଲ୍ଡ ମାଉଣ୍ଟେନ୍ ବୋଲି କୁହାଯାଏ। ଏହି ନଦୀ ସାଉଥ୍ ଥାଇଲାଣ୍ଡରେ ପ୍ରବାହିତ ହେଉଛି। ଏହା ଥାଇଲାଣ୍ଡରୁ ମାଲେସିଆ ଆଡ଼କୁ ବୋହୁଛି। ଏହି ନଦୀରେ ଦୀର୍ଘ ଦିନ ଧରି ସୁନା ମିଳୁଛି। ନଦୀର ଏକ ଅଂଶରେ କାଦୁଅ ବା ପଙ୍କ ଜମା ହୋଇ ରହୁଛି। ଏହି ପଙ୍କରେ ହିଁ ସୁନା ଜମା ହେଉଛି। ଏହି ପଙ୍କରୁ ସୁନା ବାହାର କରିବାକୁ ଲୋକଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଏଠାକାର ସ୍ଥାନୀୟ ବାସିନ୍ଦାଙ୍କ ମୁତାବକ, ଏହି କାଦୁଅରୁ ଯେତିକି ସୁନା ମିଳେ ସେଥିରେ ଜଣେ ବ୍ୟକ୍ତି ମାତ୍ର ଗୋଟିଏ ଦିନ ହିଁ ଚଳିପାରିବ।
କେବଳ ଥାଇଲାଣ୍ଡର ଏହି ନଦୀରୁ ସୁନା ବାହାରେନି। ବରଂ ଭାରତରେ ବି ଏକ ଏଭଳି ନଦୀ ରହିଛି, ଯେଉଁଥିରୁ ସୁନା ବାହାରିଥାଏ। ଏହି ନଦୀ ଝାଡ଼ଖଣ୍ଡରେ ପ୍ରବାହିତ ହେଉଛି। ଏହି ନଦୀର ନାଁ ହେଉଛି ସ୍ୱର୍ଣ୍ଣ ରେଖା ବା ସୁବର୍ଣ୍ଣ ରେଖା। ସୁବର୍ଣ୍ଣରେଖା ଓଡ଼ିଶାର କିଛି ଜିଲ୍ଲାରେ ପ୍ରବାହିତ ହେଉଛି। ଏହି ନଦୀ ମୁଖ୍ୟତଃ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ବୋହୁଛି। ଏହି ନଦୀ ତଳେ ସୁନାର କ୍ଷୁଦ୍ର କଣିକା ମିଳେ। ତେବେ କିଛି ଲୋକଙ୍କ କହିବାନୁସାରେ, ଏହି ସୁନା ସୁବର୍ଣ୍ଣରେଖା ନଦୀର ନୁହେଁ। ବରଂ ଏହାର ଶାଖା ନଦୀ କରକରୀ ନଦୀରେ ସୁନା ରହିଛି। ସେହି ନଦୀର ଜଳରୁ ସୁନା ଭାସି ଆସି ସୁବର୍ଣ୍ଣରେଖାରେ ମିଶୁଛି।
