ରେଳ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର! ପାର୍ବଣ ଋତୁରେ କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ଦେବାକୁ ଯାଉଛନ୍ତି ୭୮ ଦିନର ବୋନସ୍। ଏହାଦ୍ୱାରା ରେଳବାଇରେ କାର୍ଯ୍ୟରତ ପ୍ରାୟ ୧୧ ଲକ୍ଷ ୪୦ ହଜାର କର୍ମଚାରୀ ଉପକୃତ ହେବେ। ଏଥିପାଇଁ କେନ୍ଦ୍ର ସରକାର ଅତିରିକ୍ତ ୨ ହଜାର ୯ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।
ତେବେ ଏହି ବୋନସ୍ ରେଳବାଇର ଅଣଗେଜେଟେଡ୍ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏଥିରେ ଟ୍ରାକ୍ ମେଣ୍ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ଟେକ୍ନିସିଆନ୍, ଟେକ୍ନିକାଲ୍ ହେଲପର, ପଏଣ୍ଟସମ୍ୟାନ୍, ମିନିଷ୍ଟେରିଆଲ୍ ଷ୍ଟାଫ୍ ସମେତ ଅନ୍ୟ ଗ୍ରୁପ୍-ସି କର୍ମଚାରୀ ସାମିଲ ଅଛନ୍ତି।ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ବୋନସ୍ ପ୍ରଦାନ କରାଯାଉଥିବା ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସେପଟେ, ରେଳବାଇ ମଧ୍ୟ ଚଳିତ ବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ରେଳବାଇ ୧୬୭୦ ମିଲିୟନ୍ ଟନ୍ ସାମଗ୍ରୀ ପରିବହନ କରିଥିବା ବେଳେ ୭.୪୧ ବିଲିୟନ୍ ଯାତ୍ରୀଙ୍କୁ ପରିବହନ କରିଛି। ତେବେ ପାର୍ବଣ ପୂର୍ବରୁ ଏହି ବୋନସ୍ ଘୋଷଣା ରେଳ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଆଶ୍ୱସ୍ତିର ଖବର।
