Odia News Portal

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ : ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ

ସରକାରୀ କର୍ମଚାରୀଙ୍କୁ ଜାନୁଆରୀ ୩୧ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତିି । ଏନେଇ ରାଜ୍ୟ ସବୁ ଆର୍‌ଡିସି, ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଦିଆଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ଆମେଣ୍ଡମେଣ୍ଟ) ନିୟମ-୨୦୨୧ ଭିତ୍ତିରେ ଗ୍ରୁପ୍ ‘ଏ’ରୁ ଗ୍ରୁପ୍ ‘ଡି’ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ସାର୍ବଜନୀନ କରିବାକୁ ବାଧ୍ୟ । ଏହି ସମ୍ପତ୍ତି ତାଲିକା ୨୦୨୨ ବର୍ଷ ପାଇଁ ପ୍ରଦାନ କରିବାକୁ ହେବ ।

ସରକାରୀ କର୍ମଚାରୀମାନେ ୧ ଜାନୁଆରୀରୁ ୩୧ ଜାନୁଆରୀ ୨୦୨୩ ମଧ୍ୟରେ ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲରେ ନିଜର ବାର୍ଷିକ ସଂପତ୍ତିର ବିବରଣୀ ଅପଲୋଡ୍ କରିବେ । ଏହା ଉପରେ ସଂପୃକ୍ତ କର୍ମଚାରୀଙ୍କ ପଦୋନ୍ନତି ନିର୍ଭର କରିବ । ନହେଲେ ସମସ୍ୟାରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ୩୧ ଜାନୁଆରୀ ପରେ କୌଣସି ବିବରଣୀ ଗ୍ରହଣ କରାଯିବ ନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ପ୍ରାୟ ସାଢ଼େ ୪ ଲକ୍ଷ କର୍ମଚାରୀ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରେ କେବଳ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ଭାରତୀୟ ପୁଲିସ୍ ସେବା ଅଧିକାରୀ, ଭାରତୀୟ ଜଙ୍ଗଳ ସେବା ଅଧିକାରୀଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ଅଧିକାରୀ ଓ ଅଧସ୍ତନ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ କରୁନାହାନ୍ତି । ବାରମ୍ବାର କହିବା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ତେଣୁ ଏବେ କଡ଼ା ନର୍ଦ୍ଦେଶନାମା ପରେ ସରକାରୀ କର୍ମଚାରୀମାନେ ନିଜର ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ହେବେ ।