Odia News Portal

ହିଜାବ ବ୍ୟାନ୍ ପରେ ୧୭ ହଜାର ଛାତ୍ରୀ ଛାଡିଲେ ସ୍କୁଲ

ସୁପ୍ରିମକୋର୍ଟ ହିଜାବ ବ୍ୟାନ୍‌କୁ ନେଇ ବୁଧବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ହୁଜୈଫା ଅହମ୍ମଦି ଦାବି କରିଛନ୍ତି ଯେ, କର୍ଣ୍ଣାଟକ ହାଇକୋର୍ଟ ରାୟ ପରେ ୧୭ ହଜାର ଛାତ୍ରୀ ସ୍କୁଲରୁ ଡ୍ରପ୍ ଆଉଟ୍ ହୋଇଛନ୍ତି। ଜୋର ଦେଇ କୁହାଯାଇଛି ଯେ, ଏହି ଡ୍ରପ୍‌ ଆଉଟ୍‌ ହିଜାବ ଉପରେ ରୋକ୍ ଲଗାଇବା ପରେ ହୋଇଛି।

ଶୁଣାଣି ବେଳେ ହୁଜୈଫା ଅହମ୍ମଦିଙ୍କୁ ଜଷ୍ଟିସ୍ ସୁଧାଶୁଂ ଧୂଲିଆ ପଚାରିଛନ୍ତି, କ’ଣ ଆପଣଙ୍କ ପାଖରେ କୌଣସି ସଂଖ୍ୟା ଅଛି କେତେ ଛାତ୍ରୀ ହିଜାବ ବ୍ୟାନ୍‌ ପରେ ସ୍କୁଲ ଛାଡିଛନ୍ତି। ଏହା ଉପରେ ଅହମ୍ମଦି କହିଛନ୍ତି, PUCL ର ରିପୋର୍ଟ ଅନୁସାରେ ୧୭ ହଜାର ଛାତ୍ରୀ ଡ୍ରପ୍‌ ଆଉଟ୍‌ ହୋଇଛନ୍ତି ଓ ସେମାନେ ପରୀକ୍ଷାରେ ବସି ପାରିନାହାନ୍ତି। ଅହମ୍ମଦି ଏହି କଥା ଉପରେ ଜୋର ଦେଇ କହିଛନ୍ତି, ହାଇକୋର୍ଟଙ୍କ ଏକ ରାୟ କାରଣରୁ ବହୁ ଛାତ୍ରୀ ସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି।

ଏହି ସଂଖ୍ୟାକୁ ରଖିବା ପରେ ହୁଜୈଫା ଅହମ୍ମଦୀ ବିବିଧତାକୁ ନେଇ ବିଭିନ୍ନ ପ୍ରକାର ଦଲିଲ୍‌ ଉପସ୍ଥାପନ କରିଥିଲେ। ସେ କହିଥିଲେ, ହିଜାବ ପିନ୍ଧିବା ଅନ୍ୟମାନଙ୍କୁ କିଭଳି ଭୁଲ ଲାଗୁଛି। ରାଜ୍ୟର କାମ ବିବିଧତାକୁ ପ୍ରୋତ୍ସାହିତ କରିବା, ନା କି ପ୍ରଥା ଗୁଡିକ ଉପରେ ରୋକ ଲଗାଇବା। କାହାକୁ କାହିଁକି ଏଭଳି ଲାଗୁଛି କୌଣସି ଧର୍ମ ଅନୁଷ୍ଠାନ ଧର୍ମନିରପେକ୍ଷ ଶିକ୍ଷା କିମ୍ବା ଏକତାରେ ବାଧା ସୃଷ୍ଟି କରେ? ଯଦି କେହି ହିଜାବ ପିନ୍ଧି ସ୍କୁଲ ଆସନ୍ତି ତେବେ ଅନ୍ୟମାନେ କାହିଁକି ରାକି ଯାଆନ୍ତି? ଅନ୍ୟ ଛାତ୍ରଙ୍କର କ’ଣ ଅସୁବିଧା ହୁଏ? ଏହା ସମ୍ବିଧାନରେ ଥିବା ଭାଇଚାରା ସଂକଳ୍ପର ବିପରୀତ।