ହିମାଚଳ ପ୍ରଦେଶର ମଲାଣା ଗାଁରେ ଏଭଳି ପରମ୍ପରା ବା ନିୟମ ରହିଛି, ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ବାହାରୁ ଆସୁଥିବା ଲୋକଙ୍କୁ ଏଠାରେ କୌଣସି ବସ୍ତୁକୁ ଛୁଇଁବା ମନା । ଯଦି କୌଣସି ବ୍ୟକ୍ତି ଗାଁର କୌଣସି ବସ୍ତୁକୁ ଛୁଇଁଦିଅନ୍ତି, ତେବେ ଜରିମାନା ଦେବାକୁ ପଡ଼ିପାରେ ।
ସେତିକି ନୁହେଁ, ଯଦି ବ୍ୟକ୍ତି ଜଣକ ଗାଁର କୌଣସି ଘର, ଦୋକାନ ବା କୌଣସି ବ୍ୟକ୍ତିକୁ ଛୁଇଁ ଦିଅନ୍ତି, ତେବେ ତାଙ୍କୁଠାରୁ ହଜାର ଟଙ୍କା ଜରିମାନା ଆଦାୟ କରାଯାଏ । ମଲାଣା ଗାଁରେ ଆହୁରି ଅନେକ ମଜାଦାର ନିୟମ ରହିଛି । ଗାଁରେ ଭିଡିଓ ପ୍ରସ୍ତୁତ କରିବା ଉପରେ ପୂର୍ଣ୍ଣ କଟକଣା ରହିଛି । ଗ୍ରାମବାସୀଙ୍କ ପବିତ୍ରତା ରକ୍ଷା କରିବା ଲାଗି ଏପରି କରାଯାଏ । ଆଗନ୍ତୁକଙ୍କୁ କେବଳ ଫଟୋ ଉଠାଇବାକୁ ଅନୁମତି ମିଳେ । ଏହି ଗାଁରେ ବୃକ୍ଷ ଓ ବୁଦାରୁ କାଠ ନେଇ ଜଳାଇବା ସମ୍ପୂର୍ଣ୍ଣ ମନା । ବୃକ୍ଷଲତାଙ୍କ ସୁରକ୍ଷା ଲାଗି ଏପରି ନିୟମ ଲାଗୁ ହୋଇଛି । ଗାଁ ଲୋକେ କନାଶୀ ଭାଷା ବ୍ୟବହାର କରନ୍ତି ।
ମଲାଣା ଗାଁର ନିୟମ ଅନୁସାରେ, ବାହାର ଲୋକ କନାଶୀ ଶିଖିପାରିବେ ନାହିଁ । ମଲାଣା ଆସୁଥିବା କୌଣସି ଯାତ୍ରୀ ଯଦି ଏଠାକାର ଦୋକାନରୁ କିଛି କିଣିବାକୁ ଚାହାନ୍ତି, ତେବେ ଦୋକାନ ବାହାରେ ରହି ଦୋକାନୀଙ୍କୁ ଆବଶ୍ୟକ ସାମଗ୍ରୀ ବିଷୟରେ କହିବାକୁ ପଡ଼ିବ । ଦୋକାନ ବାହାରେ ହିଁ ଟଙ୍କା ରଖିବାକୁ ପଡ଼ିବ । ଦୋକାନୀ ତାଙ୍କୁ ନ ଛୁଇଁ ବାହାରେ ରଖିଥିବା ଟଙ୍କା ନେଇଥାନ୍ତି ।
ମଲାଣାର ନିଜସ୍ୱ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଅଛି । ଏଠାରେ ଆଜି ପର୍ଯ୍ୟନ୍ତ କେହି ପୁଲିସ ଡାକିବାକୁ ସାହସ କରିନାହାନ୍ତି । ସମସ୍ତ ନିଷ୍ପତ୍ତି ଗାଁ ଲୋକେ ମିଳିମିଶି ନିଅନ୍ତି ଏବଂ ତା’ର ଅନୁପାଳନ ମଧ୍ୟ କରନ୍ତି । ଏହି ଗାଁର ବାସିନ୍ଦା ନିଜକୁ ସିକନ୍ଦରଙ୍କ ବଂଶଜ ବୋଲି ମାନନ୍ତି । ସେଥିପାଇଁ ସେମାନେ ଶୁଦ୍ଧ ଆର୍ଯ୍ୟ ଜାତି ନିର୍ମାଣ କରିବାକୁ ଚାହାନ୍ତି । ସେହି କାରଣରୁ ଗାଁର କୌଣସି ବ୍ୟକ୍ତି ବା ବସ୍ତୁକୁ ଛୁଇଁବାର ଅନୁମତି ବାହାର ଲୋକଙ୍କୁ ଦିଆଯାଇ ନାହିଁ ।
