Odia News Portal

ସ୍ତ୍ରୀକୁ ମାରି ବାଡ଼ି ପଟେ ପୋତି ଦେଇଥିଲା ସ୍ୱାମୀ

ସୁନ୍ଦରଗଡ଼: ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା | ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ନିଜ ସ୍ତ୍ରୀକୁ ମାରି ବାଡ଼ି ପଟେ ପୋତି ଦେଇଥିଲା ସ୍ୱାମୀ। ଗାଁ ଲୋକେ ସନ୍ଦେହରେ ପଚରାପଚରି କରିବାରୁ ଶେଷରେ ୪ ଦିନ ପରେ ସତ ଓଗାଳିଛି ପତ୍ନୀହନ୍ତା ସ୍ୱାମୀ । ଏପରି ଲୋମହର୍ଷକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ଘଟିଛି। ମୃତା ମହିଳା ହେଲେ ଶକୁନ୍ତଳା ନାଏକ। ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ଖଏରୁ ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଶକୁନ୍ତଳା ନାଏକ ନିଜ ପ୍ରଥମ ସ୍ୱାମୀ ଓ ଦୁଇ ସନ୍ତାନ ଙ୍କୁ ଛାଡି ୩୦ ବର୍ଷ ପୂର୍ବେ ଖଏରୁଙ୍କ ପାଖକୁ ପଳାଇ ଯାଇଥିଲେ। ତେବେ ଗ୍ରାମର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଘରୋଇ କଳହ ସବୁ ସମୟରେ ଲାଗି ରହୁଥିଲା। ଗତ ଶନିବାର ଖଏରୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଏହାପରେ ସ୍ୱାମୀସ୍ତ୍ରୀ ମଧ୍ୟରେ କଳହ ହେବାରୁ ଉତ୍ତ୍ୟକ୍ତ ଖଏରୁ ଘରେ ଥିବା ଏକ ଧାରୁଆ ମାରଣାସ୍ତ୍ରରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ସ୍ତ୍ରୀର ମୃତ ଦେହକୁ ଘର ବାଡ଼ି ପଟେ ମାଟି ଖୋଳି ପୋତି ଦେଇଥିଲେ। ତେବେ ଘଟଣା ସମ୍ପର୍କରେ କେହି ମଧ୍ୟ ଟେର ପାଇପାରି ନ ଥିଲେ।

ଏହାପରେ ଦୁର୍ଗନ୍ଧ ହେବାରୁ ସନ୍ଦେହ କରି ଗାଁ ଲୋକେ ଖଏରୁଙ୍କୁ ପଚରାଉଚରା କରିଥିଲେ। ଏହାପରେ ସେ ଗତ ଶନିବାର ସ୍ତ୍ରୀ କୁ ହତ୍ୟା କରି ମାଟିତଳେ ପୋତିଦେଇଥିବା ସ୍ୱୀକାର କରିଥିବା ଜଣାପଡ଼ିଛି । ଗାଁ ଲୋକେ ଖଏରୁଙ୍କୁ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତଲସରା ପୁଲିସ୍‌ ପହଞ୍ଚିବା ପରେ ଗାଁ ଲୋକେ ଖଏରଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି ।