Odia News Portal

ନିଜ ପତ୍ନୀଙ୍କୁ ଦ୍ବିତୀୟ ଥର ବିବାହ କଲେ ସ୍ବାମୀ

ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ ।  ଦୀର୍ଘ ଧରି କୌଣସି ପତ୍ତା ନ ମିଳିବାରୁ ମରିଯାଇଥିବା ଭାବି ପରିବାର ଲୋକ ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ। ସ୍ବାମୀ ମରିଯାଇଥିବାରୁ ସ୍ତ୍ରୀ ହାତରୁ  ଭାଙ୍ଗି ଦେଇଥିଲେ ଶଙ୍ଖା ଓ ମଥାରୁ ପୋଛି ଦେଇଥିଲେ ସିନ୍ଦୁର ।  ଯାହାକୁ ମୃତ ବୋଲି ପରିବାର ଲୋକ ଭାବିଥିଲେ ହଠାତ ସେ ଦିନେ ଘରେ ପହଞ୍ଚିଥିଲେ। ସ୍ତ୍ରୀଙ୍କ ସେହି ଶଙ୍ଖା ଓ ସିନ୍ଦୁର ପୁଣି ଫେରି ଆସିଥିଲା।ଶେଷରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବୈଦିକ ରୀତିରେ ଉଭୟ ଦ୍ବିତୀୟ ଥର ପାଇଁ ବିବାହ କରିଥିଲେ।  ଏହା କୌଣସି ଏକ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବା ବେଳେ  କିନ୍ତୁ ବାସ୍ତବ ଜୀବନରେ ଘଟିଛି ଏପରି ଘଟଣା। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତ ର ପୋଡାପଦର  ଗ୍ରାମର ଘାସି ଅମନାତ୍ୟ ଓ ତାଙ୍କ ସ୍ତ୍ରୀ ସୁବର୍ଣ୍ଣଙ୍କ  ଜୀବନରେ ଏଭଳି ଘଟଣା ଘଟିଛି ।

ଦୁଇ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଘାସି ଅମନାତ୍ୟ ଗ୍ରାମର କିଛି ଲୋକଙ୍କ ସହିତ  ଦାଦନ ପାଇଁ ଆନ୍ଧ୍ର ବାହାରି ଥିଲେ । ଯିବା ସମୟରେ ଘାସି ବାଟ ବଣା ହୋଇଯାଇଥିଲେ । ସାଙ୍ଗମାନେ ବହୁ ଦିନ ଧରି ଖୋଜା ଖୋଜି ବି କରିଥିଲେ ହେଲେ ଘାସିଙ୍କୁ  ନ ପାଇ ନିରାଶ ହୋଇ ଥିଲେ । ଆଠ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇଲେ । ଉକ୍ତ ଦୁଃଖଦ ଖବର ଶୁଣି କୁଳ କୁଟୁମ୍ବ ଏକାଠି ହୋଇ ସୁଦ୍ଧି କ୍ରିୟା ସମ୍ପର୍ଣ୍ଣ କରିବା ସହ ସ୍ତ୍ରୀ ସୁବର୍ଣ୍ଣ ଙ୍କୁ ବିଧବା ହେବାକୁ ପଡିଲା । ଘରୁ ଯିବାର ଦୁଇ ବର୍ଷ ପରେ ଅର୍ଥାତ ଗତ ଦୁଇ ମାସ ତଳେ ଗାଁ ରେ ଘାସି ଘରେ ପହଞ୍ଚିବା ଦେଖି ସମସ୍ତେ ଚକିତ ହୋଇ ପଡିଥିଲେ । ସେ ତାର ଦାଦନ ର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇ ଥିଲା । କୁଳ ସମାଜ ର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା।  ତାଙ୍କ ପରମ୍ପରା ଅନୁଯାୟୀ ପୁଣି ବୈଦିକ ରୀତିରେ ଦୁଇ ସ୍ୱାମୀ ସ୍ତ୍ରୀ ଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ଗ୍ରାମର ଶିବ ମନ୍ଦିର ଠାରେ ବ୍ରାହ୍ମଣ ଦମ୍ବୁରୁ ଧର ଦାଶ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ କରିଥିଲେ ।