ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ଆଜି ବିଜେଡି ପକ୍ଷରୁ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ ହୋଇଛି। ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି। ନବୀନ ଏହି ବିକ୍ଷୋଭରେ ସାମିଲ ହୋଇ କେନ୍ଦ୍ରର ବିଜେପି ସରକାର ଉପରେ ଗର୍ଜିଥିଲେ । ନବୀନ କହିଥିଲେ ସଂଶୋଧିତ MMDR ଆଇନ ଓଡ଼ିଆଙ୍କ ଅଧିକାର ଛଡ଼ାଇ ନେଇଛି। ଏହା ଏକ ସାଧାରଣ ଆଇନ ନୁହେଁ। ରାଜ୍ୟର ଅଧିକାର ସହ ଏ ଆଇନ ଜଡ଼ିତ। ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ। ଦୁଃଖର କଥା ବିନା ଆଲୋଚନାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ପାରିତ ହୋଇଗଲା। ଆଉ ଆମର କୋଡ଼ିଏ BJP ସାଂସଦ ଚୁପ୍ ବସିଲେ, କାହା ସ୍ୱାର୍ଥରେ? ଓଡ଼ିଶା ସରକାର ବି ଚୁପ୍ ରହିଲେ, କାହା ଡରରେ? ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। କିନ୍ତୁ କିଛି ଉତ୍ତର ଆସିଲା ନାହିଁ। MMDR ସଂଶୋଧନ ଆଇନକୁ ବିରୋଧ କରି ପ୍ରସ୍ତାବ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଥିଲି। କିନ୍ତୁ ଏଥିରେ ମଧ୍ୟ କିଛି ଉତ୍ତର ଆସିଲା ନାହିଁ। ନାହିଁ ନାହିଁର ଏ ସରକାର ଚାଲିଛି।
ଏହି ଆଇନ ପାଇଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ। ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି? ଏ ମାଟିଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ। ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି। ସମସ୍ତଙ୍କୁ ମୋର ଅନୁରୋଧ, ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢେଇରେ ସାମିଲ ହୁଅନ୍ତୁ। ଆସନ୍ତୁ, ଏ ମାଟି ପାଇଁ ଏକାଠି ହେବା। ସଙ୍କଳ୍ପ କରିବା, MMDR ସଂଶୋଧନ ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ନଦେବାକୁ ନବୀନ ଆହ୍ବାନ ଦେଇଥିଲେ ।
