Odia News Portal

ପାରାଦୀପରେ ଅମ୍ଲଜାନ ପ୍ଲାଣ୍ଟ କରିବ ଇଫକୋ

ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନର ଅଭାବ ସମସ୍ୟାର ସମାଧାନ ପାଇଁ ‘ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋପରେଟିଭ୍‌ ଲିମିଟେଡ୍‌’ (ଇଫ୍‌କୋ) ଆଗେଇ ଆସିଛି । ନିଜର ସାର କାରଖାନାଗୁଡ଼ିକରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି ଇଫ୍‌କୋ । ଇଫ୍‌କୋର ପରିଚାଳନା ନିର୍ଦ୍ଦେଶକ ଏନେଇ ଆଜି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ପ୍ରଥମ ଅମ୍ଳଜାନ ପ୍ଲାଣ୍ଟର ପ୍ରତିଷ୍ଠା କାର୍ଯ୍ୟ ଗୁଜୁରାଟର କଲୋଲ ଠାରେ ଅବସ୍ଥାପିତ ଥିବା ଇଫ୍‌କୋର ସାର କାରଖାନା ମଧ୍ୟରେ ଆରମ୍ଭ ହୋଇ ସାରିଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଅମ୍ଳଜାନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏଥିରୁ ଦୈନିକ ୭୦୦ଟି ଅମ୍ଳଜାନ ସିଲିଣ୍ଡର ପ୍ରସ୍ତୁତ ହୋଇପାରିବ । ଏହି ପ୍ଲାଣ୍ଟର ପ୍ରତିଷ୍ଠା ନିମନ୍ତେ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଆଉ ଦୁଇ ସପ୍ତାହ ମଧ୍ୟରେ ଅନ୍ୟ ୩ଟି ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିମଧ୍ୟରୁ ଗୋଟିଏ ଓଡ଼ିଶାର ପାରାଦୀପ୍‌ ଠାରେ ପ୍ରତିଷ୍ଠା ହେବ । ଅନ୍ୟ ଦୁଇଟି ଉତ୍ତରପ୍ରଦେଶର ଅଁଳା ଓ ଫୁଲପୁର ଠାରେ ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି । ଏହି ପ୍ଲାଣ୍ଟରୁ ଉତ୍ପାଦିତ ଅମ୍ଳଜାନକୁ ଇଫ୍‌କୋ ବିନା ମୂଲ୍ୟରେ କୋଭିଡ୍‌ ହସ୍ପିଟାଲଗୁଡ଼ିକୁ ଯୋଗାଇଦେବ ।