ନୂଆଦିଲ୍ଲୀ: ପୁଣି ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଉଭୟ ଦେଶର ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ବେଳେ କିଛି ଚୀନ୍ ସୈନ୍ୟ ସିକିମ ଭାରତୀୟ ସୀମା ମଧ୍ୟକୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଯବାନ ଚୀନ ସୈନ୍ୟଙ୍କୁ ରୋକିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଏଥିରେ ୪ ଭାରତୀୟ ଯବାନ ଓ ଚୀନର ୨୦ ସୈନ୍ୟ ଆହତ ହୋଇଛନ୍ତି ।

ପ୍ରାୟ ଅଢେଇ ମାସ ପରେ ଗତକାଲି ଭାରତ ଓ ଚୀନ୍ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଏଲଏସି ମୋଲଡୋରେ ଉଭୟ ପକ୍ଷର ସେନା ଅଧିକାରୀ ଆଲୋଚନା କରିଥିଲେ । ଏଥିରେ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ଉପରେ ଭାରତ ଜୋର୍ ଦେଇଛି। ଗତ ନଭେମ୍ବର ୬ ତାରିଖରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା କମାଣ୍ଡରସ୍ତରୀୟ ଆଲୋଚନାରେ ଭାରତ ସମାନ ଦାବି ରଖିଥିଲା। ପୂର୍ବରୁ ମଧ୍ୟ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ବୈଠକ କରିଥିଲେ ବି ସମାଧାନର ବାଟ ବାହାରି ନଥିଲା ।

ସୂଚନାନୁଯାୟୀ, ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ଲଦାଖରେ ବିବାଦ ଜାରି ରହିଛି । ଲଦାଖରେ ମୁହାଁମୁହିଁ ହେବା ପରେ ଏବେ ସୁଦ୍ଧା କୌଣସି ସମାଧାନ ବାହାରି ପାରିନି। ଦୁଇଦେଶ ମିଳିତ ଭାବେ ଏନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ବୈଠକରେ ଭାରତ ପ୍ରସ୍ତାବ ରଖିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଯବାନମାନେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।