Odia News Portal

ପାକିସ୍ତାନକୁ ୫ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଏସିଆ କପରେ ରବିବାର ଏକ ଲୋ ସ୍କୋରିଂ କିନ୍ତୁ ରୋମାଞ୍ଚକ ମ୍ୟାଚରେ ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୫ ଓଭରରେ ୧୪୭ ରନ କରି ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭାରତ ମଧ୍ୟ ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବଳରେ ଭାରତ ୨ଟି ବଲ୍ ବାକିଥାଇ ମ୍ୟାଚ୍ ଜିତି ନେଇଥିଲା । ତିନୋଟି ବଲରେ ୬ ରନ୍ ଆବଶ୍ୟକ ଥିବା ବେଳେ ପାଣ୍ଡ୍ୟା ପାକ୍ ସ୍ପିନର ନୱାଜଙ୍କ ବଲରେ ଏକ ଛକା ମାରି ଭାରତକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଭାରତ ଟି୨୦ ବିଶ୍ୱକପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି । ଭାରତ ପକ୍ଷରୁ ଜାଡେଜା ୨୯ଟି ବଲରେ ୨ଟି ଚୌକା ଓ ସମାନ ଛକା ସହ ୩୫ ରନ୍ କରିଥିବା ବେଳେ ପାଣ୍ଡ୍ୟା ୧୭ଟି ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ୩୩ ରନ୍ କରି ଅପରାଜିତ ରହିଥିଲେ ।

ଭାରତ ପ୍ରଥମ ଓଭରରେ ହିଁ ରାହୁଲ (୦)ଙ୍କ ୱିକେଟ୍ ହରାଇଥିଲା । ପରେ ପରେ ରୋହିତ ଶର୍ମା (୧୨) ଓ କୋହଲି (୩୫) ଏବଂ ସୂର୍ଯ୍ୟକୁମାର (୧୮) ମଧ୍ୟ ଆଉଟ୍ ହୋଇଯାଇଥିଲେ । ହେଲେ ଜାଡେଜା ଓ ପାଣ୍ଡ୍ୟାଙ୍କ ୫୨ ରନ ଭାଗିଦାରୀ ଭାରତର ବିଜୟ ନିଶ୍ଚିତ କରିଥିଲା ।ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଅଧିନାୟକ ବାବର ଆଜମ(୧୦)ଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଭାରତକୁ ପ୍ରଥମ ତଥା ବଡ଼ ସଫଳତା ଦେଇଥିଲେ। ଏହା ପରେ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୨୭ ରନ ଯୋଡିଥିଲେ। ଦଳୀୟ ସ୍କୋର ୪୨ ରନରେ ଫକର ଜମାନ(୧୦)ଙ୍କୁ ଅଭେଶ ଖାନ ଆଉଟ୍ କରିଥିଲେ।

ରିଜଓ୍ଵାନ ଏବଂ ଇଫତିକାର ଅହମ୍ମଦ ଭଲ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୪୫ ରନ ଯୋଡିଥିଲେ। ଇଫତିକାରଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗି ଭାରତକୁ ତୃତୀୟ ସଫଳତା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଇଫତିକାର ୨୨ ବଲରୁ ୨୮ ରନ କରି ପାଭିଲିୟନ ଫେରିଥିଲେ। ତେବେ ୧୫ତମ ଓଭରରେ ପାକିସ୍ତାନକୁ ଲାଗ ଲାଗ ଦୁଇଟି ଝଟକା ଲାଗିଥିଲା। କ୍ରିଜରେ ଜମି ରହି ଇନିଂସ ସମ୍ଭାଳିଥିବା ମହମ୍ମଦ ରିଜଓ୍ଵାନଙ୍କୁ ଆଉଟ୍ କରି ପାକିସ୍ତାନକୁ ବଡ ଝଟକା ଦେଇଛନ୍ତି ପାଣ୍ଡ୍ୟା। ରିଜଓ୍ଵାନ ୪୨ ବଲ୍‌ରୁ ୪ ଚୌକା ଏବଂ ୧ ଛକା ସହ ୪୩ ରନ କରିଥିଲେ। ରିଜଓ୍ଵାନଙ୍କ ଆଉଟ୍ ପରେ ନିମ୍ନ କ୍ରମରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ପୁଣି ଉକ୍ତ ଓଭରରେ ଖୁସଦିଲ ଶାହ(୨) ପାଣ୍ଡ୍ୟାଙ୍କ ତୃତୀୟ ଶିକାର ହୋଇଥିଲେ। ଆସିଫ ଅଲ୍ଲୀ(୯) ଭୁବନେଶ୍ଵରଙ୍କ ଶିକାର ହୋଇଥିଲେ। ମହମ୍ମଦ ନଓ୍ଵାଜ(୧)ଙ୍କୁ ଅର୍ଶଦୀପ ପାଭିଲିୟନ ପଠାଇଥିଲେ। ୧୯ ତମ ଓଭରରେ ଭୁବନେଶ୍ଵର କୁମାର ଲଗାତାର ଦୁଇଟି ବଲ୍‌ରେ ଶାଦବ ଖାନ(୧୦) ଏବଂ ନସୀମ ଶାହ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୃଷ୍ଟି କରିଥିଲେ। ଶେଷରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି। ହାରିସ ରଉଫ ୧୩ ରନ କରି ଅପରାଜିତ ଥିଲେ। ଶାହାନଓ୍ଵାଜ ଦହାନି ୬ ବଲରୁ ୧୬ ରନ କରି ଅର୍ଶଦୀପ ସିଂହଙ୍କ ବଲରେ ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଦ୍ରୁତ ବୋଲରମାନେ ହିଁ ୧୦ଟି ଯାକ ଓ୍ବିକେଟ୍ ନେଇଥିଲେ । ଭୁବନେଶ୍ଵର କୁମାର ୨୬ ରନ ଦେଇ ୪ଟି ଓ୍ବିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ ଦେଇ ୩ଟି ଓ୍ବିକେଟ୍ ହାସଲ କରିଥିଲେ । ଅର୍ଶଦୀପ ସିଂହ ୨ଟି ଏବଂ ଅବେଶ ଖାନ୍ ଗୋଟିଏ ଓ୍ଵିକେଟ୍ ନେଇଥିଲେ ।