Odia News Portal

ଭାରତର ଏହି ସ୍ଥାନରେ ସାଇକେଲ ଠାରୁ ବି କମ୍ ଗତିରେ ଚାଲିଥାଏ ଏହି ଟ୍ରେନ୍

ଶିମଲାରେ ଚାଲୁଥିବା ଟଏଟ୍ରେନ୍ ଏକ ପ୍ରମୁଖ ପର୍ଯ୍ୟଟକ ଆକର୍ଷଣ, କିନ୍ତୁ ଏହିପରି ତାମିଲନାଡୁରେ ଏକ ଟ୍ରେନ ଅଛି ଯାହା ଏବେ ଚର୍ଚ୍ଚାକୁ ଆସିଛି । ସରକାରୀ ୱେବସାଇଟ୍ ଇନଭେଷ୍ଟ ଇଣ୍ଡିଆ ଅନୁଯାୟୀ, ମେଟୁପାଲାୟମ୍ ଓଟି ନୀଳଗିରି ପାସେଞ୍ଜର ଟ୍ରେନ୍ ହେଉଛି ଭାରତର ସବୁଠାରୁ ମନ୍ଥର ବା ଧିର ଗତି ଟ୍ରେନ୍, ଯାହା କି ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଚାଲିଥାଏ । ଏହି ଟ୍ରେନ୍ ଭାରତର ଦ୍ରୁତତମ ଟ୍ରେନ୍ ଠାରୁ ପ୍ରାୟ ୧୬ ଗୁଣ ଧୀର ଅଟେ । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହି ଟ୍ରେନର ଗତି ଯେକୌଣସି ସାଇକେଲର ଗତି ଠାରୁ ବି କମ୍ । ଏହି ଟ୍ରେନ୍ ପ୍ରାୟ ୫ ଘଣ୍ଟା ମଧ୍ୟରେ ୪୬ କିଲୋମିଟର ଦୂରତା ଅତିକ୍ରମ କରିଥାଏ । ପାହାଡ ଅଂଚଳରେ ଚାଲୁଥିବା କାରଣରୁ ଏହା ଏପରି ଗତି କରିଥାଏ ।
୪୬ କିଲୋମିଟର ଦୂରତା ଗତି କରୁଥିବା ଏହି ଟ୍ରେନ୍ ଅନେକ ସୁନ୍ଦର ଦର୍ଶନୀୟ ସ୍ଥାନ ଦେଖାଇଥାଏ , ଯାହା ଦେଖିଲେ ଆପଣ ବାରମ୍ବାର ଦେଖିବାକୁ ଇଛା କରିବେ ଆଉ ଆପଣ ଏହି ମନ୍ଥର ଗତି ଟ୍ରେନ୍ର ପ୍ରେମରେ ପଡ଼ିବେ । ମିଳିତ ଜାତିସଂଘର ସଂସ୍ଥା ୟୁନେସ୍କୋ ଦ୍ବାରା ଦାର୍ଜିଲିଂ ହିମାଳୟ ରେଳର ସମ୍ପ୍ରସାରଣ ଭାବରେ ଏହି ଟ୍ରେନକୁ ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ କରାଯାଇଛି । ୟୁନେସ୍କୋ ୱେବସାଇଟ୍ ଅନୁଯାୟୀ, ନୀଳଗିରି ପାର୍ବତ୍ୟ ରେଳପଥ ନିର୍ମାଣ ପାଇଁ ପ୍ରଥମେ ୧୮୫୪ ମସିହାରେ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ପାହାଡ଼ିଆ ସ୍ଥାନର ଅସୁବିଧା ହେତୁ ୧୮୯୧ ମସିହାରେ କାର‌୍ୟ୍ୟ ଆରମ୍ଭ ହୋଇ ୧୯୦୮ ମସିହାରେ ଶେଷ ହୋଇଥିଲା । ୟୁନେସ୍କୋ ଏହା ମଧ୍ୟ କହିଛି ଯେ ଏହି ରେଳ ୩୨୬ ମିଟରରୁ ୨୨୦୩ ମିଟର ଉଚ୍ଚରେ ପହଞ୍ଚିଛି, ଯାହା ସେହି ସମୟର ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରକାଶ କରୁଛି ।ଆଇଆରସିଟିସି ଅନୁଯାୟୀ, ଏହି ଟ୍ରେନ୍ ୪୬ କିଲୋମିଟର ଯାତ୍ରା ସମୟରେ ଅନେକ ଟନେଲ୍ ଏବଂ ୧୦୦ରୁ ଅଧିକ ବ୍ରିଜ୍ ଦେଇ ଯାଇଥାଏ । ପାହାଡ ଘେରା ଭୂମି, ଉପତ୍ୟକା, ଚା ବଗିଚା ଏବଂ ଘଞ୍ଚ ଜଙ୍ଗଲ ପାହାଡ ଏହି ଯାତ୍ରାକୁ ସୁନ୍ଦର କରିଥାଏ । ଏହି ମାଉଣ୍ଟେନ୍ ରେଲୱେ ମେଟୁପାଲାୟମରୁ ଓଟି ମଧ୍ୟରେ ଦୈନିକ ସେବା ଚଳାଇଥାଏ ।