Odia News Portal

ଝିଅର ସଫଳତାରେ,ବାପାର ସଲାମ୍

ତିରୁପତି : ଅଫିସର ଝିଅକୁ ସାଲ୍ୟୁଟ୍ ମାରିଲେ ବାପା | ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ଘଟଣା ନିହାତି ସାଧାରଣ ହୋଇପାରେ । କିନ୍ତୁ ଜଣେ ବାପା ତା ଝିଅକୁ ଗର୍ବର ସହ ସାଲ୍ୟୁଟ ମାରିବା କଥା ଖୁବ୍ ଅସାଧାରଣ ଓ ଅବିସ୍ମରଣୀୟ | ଯେଉଁ ଝିଅକୁ ଦିନେ ବାପା କୋଳେଇ କାଖେଇ ମଣିଷ କରିଥିଲେ, ତାର କୁନି ହାତକୁ ପାପୁଲିରେ ଧରି ଚାଲିବା ଶିଖାଇ ଥିଲେ| ଭୁଲ କଲେ ଆକଟ ଆଉ ଠିକ୍ କାମରେ ସ୍ନେହ କରୁଥିଲେ | ଆଜି ସେହି ବାପା ଆଗରେ ବଡ ଅଫିସର ହୋଇ ଛିଡା ହୋଇଛି ଝିଅ । ଆଉ ଗର୍ବର ସହ ନିଜ ଝିଅକୁ ସାଲ୍ୟୁଟ ମାରୁଛି ବାପା ।

ଘଟଣାଟି ହେଉଛି ଆନ୍ଧ୍ର ପ୍ରଦେଶର । ଆନ୍ଧ୍ର ପ୍ରଦେଶର ୱାଇ ଶ୍ୟାମ ସୁନ୍ଦର ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ । ଆଉ ତାଙ୍କ ଝିଅ ହେଉଛନ୍ତି ଜେସି ପ୍ରଶାନ୍ତି । ନିଜ ବାପାଙ୍କୁ ଅନୁସରଣ କରି ଝିଅ ମଧ୍ୟ ପୋଲିସ ବିିଭାଗରେ ଯିବାକୁ ନିଷ୍ପତ୍ତି ନେଇଥିଲା । ଆଉ ଶେଷରେ ପରିଶ୍ରମ କରି ପୋଲିସ ବିଭାଗରେ ଭର୍ତ୍ତି ମଧ୍ୟ ହୋଇଛନ୍ତି । ହେଲେ ଏବେ ଝିଅ ବାପାଙ୍କଠାରୁ ଆଉ ଗୋଟିଏ ପାଦ ଆଗରେ ରହିଛନ୍ତି । ବାପା ଇନ୍ସପେକ୍ଟର ହେଲେ ଝିଅ ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି । ଜାନୁଆରୀ ୩ ତାରିଖରେ ଆନ୍ଧ୍ର ପ୍ରଦେଶ ପୋଲିସ ତରଫରୁ ତିରୁପତିରେ ପୋଲିସ ଡ୍ୟୁଟି ମିଟ୍ ୨୦୨୧ର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଡିଜିପି ଗୌତମ ସାୱାଙ୍ଗ । ଏହି ମିଟ୍ ଜରିଆରେ ସାମ୍ନାସାମ୍ନି ହୋଇଥିଲେ ଡିଏସପି ଝିଅ ଓ ଇନ୍ସପେକ୍ଟର ବାପା । ଏଠାରେ ବଡ ଅଫିସର ଭାବେ ଝିଅକୁ ଦେଖି ବାପାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ନିଜ ଝିଅ ହୋଇଥିଲେ ମଧ୍ୟ ପଦବୀରେ ବଡ଼ ହୋଇଥିବାରୁ ବାପା ସାଲ୍ୟୁଟ ମାରିଥିଲେ । ପ୍ରତିବଦଳରେ ଜେସି ମଧ୍ୟ ହସି ହସି ସାଲ୍ୟୁଟ ମାରିଥିଲେ । ଆଉ ଝିଅର ସଫଳତା ଦେଖି ବାପାର ଆଖିରେ ଖୁସିର ଲୁହ ଚାଲିଆସିଥିଲା । ବାପା-ଝିଅଙ୍କର ଏହି ହୃଦୟ ଛୁଆଁ ଫଟୋ ଏବେ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ପ୍ରଶାନ୍ତି ୨୦୧୮ ବ୍ୟାଚର ପୋଲିସ ଅଧିକାରୀ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ଡିଏସପି ଭାବେ କାର୍ଯ୍ୟରତ । ସେହିପରି ତାଙ୍କ ବାପା ଶ୍ୟାମ ସୁନ୍ଦର କଲ୍ୟାଣୀ ଡ୍ୟାମ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ।