Odia News Portal

ଆନ୍ଧ୍ରରେ ୧୩ଟି ନୂଆ ଜିଲ୍ଲା ଗଠନ କଲେ ଜଗନ ମୋହନ ସରକାର

ଆନ୍ଧ୍ର ପ୍ରଦେଶରେ ତିଆରି ହେଲା ୧୩ଟି ନୂଆ ଜିଲ୍ଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୧୩ ନୂଆ ଜିଲ୍ଲାର ଔପଚାରିକ ଉଦ୍‌ଘାଟନ୍‌ କରିଛନ୍ତି। ଫଳରେ ଏବେ ରାଜ୍ୟର ମୋଟ୍‌ ଜିଲ୍ଲା ସଂଖ୍ୟା ୨୬ ହୋଇଯାଇଛି। ନୂଆ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ରେଡ୍ଡି ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ଏଥିସହ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ଯେମିତି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଗନମୋହନ ରେଡ୍ଡୀ କହିଛନ୍ତି, ଲୋକମାନେ ସରକାରଙ୍କ ବିକେନ୍ଦ୍ରୀକୃତ ପ୍ରଶାସନର ଢଙ୍ଗକୁ ସ୍ୱୀକାର କରିଛନ୍ତି ଓ ତାହାକୁ ପ୍ରଶଂସା କରିଛନ୍ତି। କାରଣ ସମସ୍ତ ସରକାରୀ ଯୋଜନାକୁ ସିଧାସଳଖ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଯାଉଛି। ଏବେ ଏହା ସବୁ ଜିଲ୍ଲାରେ ବି ଲାଗୁ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଗାଁ ଓ ଓ୍ଵାର୍ଡର ଉନ୍ନତିକରଣ କରିଛୁ। ଏହା ମାଧ୍ୟମରେ ବିକାଶ ହେଉଥିବାର ବି ଦେଖିଛୁ। ଏବେ ଆମେ ଜିଲ୍ଲା ସ୍ତରରେ କାମ କରିବା ଆରମ୍ଭ କରିବୁ ବୋଲିି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଠାରୁ ଆନ୍ଧ୍ର ପ୍ରଦେଶ ୨୬ଟି ଜିଲ୍ଲା ଥିବା ରାଜ୍ୟ। ଆମ ନିକଟରେ ପ୍ରତି ଜିଲ୍ଲାରେ ସର୍ବନିମ୍ନ ସଂସଦୀୟ କ୍ଷେତ୍ର ରହିଛି। ସରକାରଙ୍କ ସୁବିଧା ପାଇଁ ନୂଆ ଜିଲ୍ଲା ଗଠନ କରାଯାଇଛି। ରାଜ୍ୟର ଜନସଂଖ୍ୟା ଏବେ ୫ କୋଟିରୁ ଊର୍ଦ୍ଧ୍ୱ ରହିଛି। ଏଣୁ ରାଜ୍ୟକୁ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ ନୂଆ ଜିଲ୍ଲା ଗଠନ କରିବା ଜରୁରୀ ଥିଲା। ଏହା ଦ୍ୱାରା ଲୋକଙ୍କ ସମସ୍ୟା ଶୀଘ୍ର ଦୂର କରି ହେବ। ଗୋଟିଏ ଆଦିବାସୀ ଜିଲ୍ଲାକୁ ଛାଡ଼ି ଏବେ ପ୍ରତ୍ୟେକ ଜିଲ୍ଲାରେ ୬ରୁ ୮ଟି ବିଧାନସଭା କ୍ଷେତ୍ର ରହିବ ବୋଲି କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ।